News7 Logo

ଅବହେଳିତ ନିଷ୍ପେସିତ ମହିଳାଙ୍କ ସ୍ୱର ହେବ ବିଜୁ
ମହିଳା ଜନତା ଦଳ: ସ୍ନେହାଙ୍ଗିନୀ ଛୁରିଆ

NEWS7
Biju Mahila Janata Dal

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ମହିଳା ମାନଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଉଥିବା ବେଳେ, ବିଜୁ ମହିଳା ଜନତା ଦଳ ରାଜ୍ୟର ଅବହେଳିତ ଓ ନିଷ୍ପେସିତ ମହିଳା ମାନଙ୍କ ସ୍ୱର ହେବ ଓ ତାଙ୍କ ନ୍ୟାୟ ପାଇଁ ଲଢେଇ କରିବ ବୋଲି କହିଛନ୍ତି । 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ସ୍ନେହାଙ୍ଗିନୀ ଛୁରିଆ ପ୍ରଥମେ ତାଙ୍କୁ ପୁଣିଥରେ ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି ଓ ମହିଳାଙ୍କ ସମ୍ମାନ କ୍ଷୁଣ୍ଣ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ, ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରାଯାଇଥିଲା । ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବା ସହିତ ସମାଜରେ ନିଜର ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ ।

ସେ କହିଛନ୍ତି,  ବିଜେପି ସରକାରଙ୍କ ୧୫ ମାସର ଶାସନ ସମୟରେ, ମହିଳା ମାନଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ଦେଉଥିବା କାର୍ଯ୍ୟକ୍ରମ ମିଶନ ଶକ୍ତି ଏବେ ବନ୍ଦ ହେବାକୁ ବସିଲାଣି । ଏହାଛଡା, ପ୍ରାୟ ୪ ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ଓ ରାଜ୍ୟରେ ପ୍ରାୟ ୧୫ ଜଣ ମହିଳା ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି । ବିଭିନ୍ନ ଅତ୍ୟାଚାରର ଶିକାର ହେଉଥିବା ମହିଳା ଓ ଛାତ୍ରୀ ମାନେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଦୁଷ୍କର୍ମ, ଅସଦାଚରଣ ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ମଣ୍ଡନ କରୁଥିବା ବେଳେ ସରକାର ଏହାକୁ ରୋକିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଅପରାଧୀ ମାନଙ୍କୁ ଗିରଫ କରାଯାଉଛି, କିନ୍ତୁ ସେପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ଯାହାଫଳରେ ଅପରାଧୀ ମାନଙ୍କ ମନୋବଳ ବୃଦ୍ଧି ପାଉଛି । 

ଛୁରିଆ କହିଛନ୍ତ, ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା, ସମ୍ମାନ ପାଇଁ ଲଢେଇ ଜାରି ରହିବ । ବିଜୁ ମହିଳା ଜନତା ଦଳ ଆଜି ସଙ୍କଳ୍ପ ନେଉଛି ଯେ, ରାଜ୍ୟର ମହିଳା ମାନଙ୍କ ନ୍ୟାୟ ପାଇଁ ସ୍ୱର ଶାଣିତ କରିବ ।  ଏହି ସାମ୍ୱାଦିକ ସମ୍ମିଳନୀରେ, ଦଳର ମହିଳା ବ୍ୟାପାର ଦାୟିତ୍ୱ ପ୍ରଦାନ କରାଯାଇଥିବା ନେତ୍ରୀମାନେ ଯଥା ପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ସୁଲତା ଦେଓ, ମେୟର ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ସୁଲୋଚନା ଦାସ, ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ଶର୍ମିଷ୍ଠା ସେଠୀ, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର)  ଲୋପାମୁଦ୍ରା ବକ୍ସିପାତ୍ର, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର)  ମିନତୀ ବେହେରା, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଗୀତାଞ୍ଜଳି ବସ୍ତିଆ ଇତ୍ୟାଦି ଉପସ୍ଥିତ ଥିଲେ ।