ପାଟନା, ୧୬|୧୧: ବିହାର ବିଧାନସଭା ନିର୍ବାଚନରେ ବାଜି ମାରିଛି ଏନଡିଏ । ୨୦୨ ଆସନରେ ବିଜୟ ଲାଭ କରି ଇତିହାସ ରଚିଛି । ଅନ୍ୟ ଦିଗରେ ଶୋଚନୀୟ ପରାସ୍ତ ହୋଇଛି ମହାଗଠବନ୍ଧନ ମେଣ୍ଟ । ଉଭୟ କଂଗ୍ରେସ ଏବଂ ଆରଜେଡି ମାଟି କାମୁଡିଛନ୍ତି । ମାତ୍ର ୩୫ ଆସନ ହାତେଇ ପାରିଛି ଗଠବନ୍ଧନ । ତେବେ ପରାଜୟ ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଝାଡିଛନ୍ତି କଂଗ୍ରେସର ନେତା । ନିର୍ବାଚନରେ ହୋଇଥିବା ଅନିୟମିତତାତୁ ଦାୟୀ କରିଛନ୍ତି ।

ଶନିବାର ବିହାର ପରାଜୟର କାରଣ ଖୋଜିଥିଲା କଂଗ୍ରେସ । ଏଥିପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବୈଠକ ହୋଇଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସମେତ କେସି ବେଣୁଗୋପାଳ ଏବଂ ଅଜୟ ମାକେନଙ୍କ ଭଳି ବରିଷ୍ଠ ନେତା ସାମିଲ ଥିଲେ ।

କୁହାଯାଉଛି ଯେ, ବୈଠକରେ ରାହୁଲ ତେଜସ୍ୱୀ ଯାଦବଙ୍କୁ ଫୋନ୍ କରିଥିଲେ । ବୈଠକ ବାବଦରେ ସୂଚନା ଦେଇଥିଲେ । ବୈଠକ ପରେ ବେଣୁଗୋପାଳ କହିଥିଲେ ଯେ, ବିହାରର ଫଳାଫଳ ଅବିଶ୍ୱସନୀୟ । କଂଗ୍ରେସ ସହ ଏହାର ମେଣ୍ଟ ଦଳ ଏହା ଗ୍ରହଣ କରିପାରୁ ନାହାଁନ୍ତି । ଭାରତ ଇତିହାସରେ କେଉଁ ଦଳ ୯୦ ପ୍ରତିଶତ ଷ୍ଟ୍ରାଇକ୍ ରେଟରେ ବିଜୟ ଲାଭ କରି ନାହାଁନ୍ତି । ଗୋଟିଏ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ପ୍ରମାଣ ପ୍ରଦାନ କରାଯିବ ।

ସେ ଆହୁରି କହିଛନ୍ତି ଯେ, ନିର୍ବାଚନ କମିଶନ ସ୍ବଚ୍ଛତା ରକ୍ଷା କରିନଥିଲେ । ଭୋଟ ଚୋରି ହୋଇଥିଲା । ପକ୍ଷପାତିତା କରାଯାଇଥିଲା । ଯାହାକୁ କଂଗ୍ରେସ ପ୍ରତିରୋଧ କରିପାରିଲାନି ।

ସୂଚନାଯୋଗ୍ୟ ବିହାର ନିର୍ବାଚନରେ ୨୪୩ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ଏଥିରୁ ବିଜେପି ୮୯ଟି ଆସନରେ ଜିତିଥିବା ବେଳେ ଜେଡିୟୁ ୮୫ ଆସନରେ ବିଜୟ ଲାଭ କରିଥିଲା । ସେହିପରି ଆରଜେଡି ୨୫, ଏଲଜେପି ୧୯ ଏବଂ କଂଗ୍ରେସ ଖାତାରେ ୬ ଆସନ ପଡିଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଆଇଏମଆଇଏମ ୫ ଏବଂ ହାମ୍ ୫ଟି ଆସନରେ ବାଜିମାତ କରିଥିଲେ ।