News7 Logo

ଟିମ୍ ଇଣ୍ଡିଆର ସ୍ପନ୍‌ସରଶିପ୍ ରେଟ୍ ବଢାଇଲା BCCI, ଦ୍ୱିପାକ୍ଷିକ ସିରିଜର ପ୍ରତ୍ୟେକ ମ୍ୟାଚ୍ ପାଇଁ ନେବ ୩.୫ କୋଟି ଟଙ୍କା

NEWS7
BCCI

ନୂଆଦିଲ୍ଲୀ: ବିସିସିଆଇ ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସରଶିପ୍ ରେଟ୍ ବୃଦ୍ଧି କରିଛି । ନୂଆ ରେଟ୍ ଅନୁଯାୟୀ, ବୋର୍ଡ ଦ୍ୱିପାକ୍ଷିକ ସିରିଜ୍ ଲାଗି ପ୍ରତି ମ୍ୟାଚ୍ ୩.୫ କୋଟି ଟଙ୍କା ନେବ । ଅନ୍ୟପଟେ ବହୁପାକ୍ଷୀୟ (ଆଇସିସି, ଏସିଆ କପ୍ ଏବଂ ତ୍ରିରାଷ୍ଟ୍ରୀୟ ସିରିଜ) ଟୁର୍ଣ୍ଣାମେଣ୍ଟ ପାଇଁ, ପ୍ରତି ମ୍ୟାଚ୍ ପାଇଁ ୧.୫ କୋଟି ଟଙ୍କା ନେବ । ପୂର୍ବରୁ, ଏହି ରେଟ୍ ଯଥାକ୍ରମେ ୩.୧୭ ଏବଂ ୧.୧୨ କୋଟି ଟଙ୍କା ଥିଲା। କ୍ରିକବଜ୍ ରିପୋର୍ଟ ଅନୁସାରେ ଏସିଆ କପ୍ ପରେ ନୂଆ ରେଟ୍ ଲାଗୁ ହେବ । ଏହା ଦ୍ୱାରା ବିସିସିଆଇର ଆୟ ୪୦୦ କୋଟି ଟଙ୍କାରୁ ଅଧିକ ହେବ । ତେବେ ଚୂଡ଼ାନ୍ତ ପରିମାଣ ବିଡିଂର ଫଳାଫଳ ଉପରେ ନିର୍ଭର କରିବ ।

ଡ୍ରିମ-୧୧ ଜର୍ସି ପ୍ରାୟୋଜକ ଭାବେ ଓହରିଯିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ସରକାରଙ୍କ ଅନଲାଇନ୍ ଗେମିଂ ଆଇନ, ୨୦୨୫ କାର୍ଯ୍ୟକାରୀ ହେବା ପରେ ବିସିସିଆଇ ଡ୍ରିମ୍ ୧୧ ସହିତ ଚୁକ୍ତିନାମା ବାତିଲ କରିଥିଲା । 'ଡ୍ରିମ ୧୧'ର ଜୁଲାଇ ୨୦୨୩ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବିସିସିଆଇ ସହିତ ୩୫୮ କୋଟି ଟଙ୍କାର ଚୁକ୍ତି କରିଥିଲା ।

ବିସିସିଆଇ ସେପ୍ଟେମ୍ବର ୨ ମଙ୍ଗଳବାର ଜର୍ସି ପ୍ରାୟୋଜକ ପାଇଁ ଟେଣ୍ଡର ଜାରି କରିଥିଲା । ଏହା ଅନୁଯାୟୀ, ମଦ, ତମାଖୁ, ବେଟିଂ, ରିୟଲ ମନି ଗେମିଂ, କ୍ରିପ୍ଟୋକରେନ୍ସି ଏବଂ ପର୍ଣ୍ଣୋଗ୍ରାଫି ସହିତ ଜଡିତ ବ୍ରାଣ୍ଡ କମ୍ପାନିଗୁଡ଼ିକୁ ଏହି ବିଡ୍‌ରେ ସାମିଲ କରାଯିବ ନାହିଁ । ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟରରେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲା ।

ବିନା ପ୍ରାୟୋଜକରେ ଏସିଆ କପରେ ପ୍ରବେଶ କରିବ ଭାରତୀୟ ଦଳ

ଭାରତୀୟ ଦଳ ବିନା କୌଣସି ସ୍ପନସରଶିପର ଏସିଆ କପ୍ ଖେଳିବ ।   ଡ୍ରିମ-୧୧ ପୂର୍ବରୁ ଚୁକ୍ତିନାମା ସମାପ୍ତ କରିସାରିଛି ଏବଂ ନୂଆ ପ୍ରାୟୋଜକ ପାଇଁ ବିଡିଂର ଶେଷ ତାରିଖ ୧୬ ସେପ୍ଟେମ୍ବର ରଖାଯାଇଛି । ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଟେଣ୍ଡର କିଣିବାର ଶେଷ ତାରିଖ ୧୨ ସେପ୍ଟେମ୍ବର ରହିଛି ।