ଭୋପାଳ: ଉର୍ଦ୍ଦୁ ଶାୟରୀ ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ଶାୟର ଡକ୍ଟର ବଶୀର ବଦ୍ରଙ୍କ ଗୁରୁବାର ମଧ୍ୟାହ୍ନରେ ଭୋପାଳଠାରେ ନିଧନ ହୋଇଯାଇଛି । ସେ ୯୧ ବର୍ଷ ବୟସରେ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଡକ୍ଟର ବଶୀର ବଦ୍ର ଦୀର୍ଘ ଦିନ ଧରି 'ଡିମେନ୍ସିଆ' ରୋଗରେ ପୀଡ଼ିତ ଥିଲେ । ସେ ନିଜ ସ୍ମରଣ ଶକ୍ତି ହରାଇ ବସିଥିଲେ ଏବଂ ସେ ଲୋକମାନଙ୍କୁ ଚିହ୍ନି ମଧ୍ୟ ପାରୁନଥିଲେ । ଗତ କିଛି ସମୟ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ଖରାପ ଚାଲିଥିଲା । ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି।

ସାହିତ୍ୟ ଜଗତରେ ଉଜ୍ଜ୍ୱଳ ନକ୍ଷତ୍ର

ଡକ୍ଟର ବଶୀର ବଦ୍ର ଉର୍ଦ୍ଦୁ ଶାୟରୀ ଦୁନିଆର ଏକ ଅତି ପରିଚିତ ଓ ବଡ଼ ନାଁ ଥିଲେ । ତାଙ୍କର ଗଜଲ୍ ଏବଂ ଶାୟରୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲା । ତାଙ୍କ ଲେଖାର ଅନେକ ପଂକ୍ତିଗୁଡ଼ିକ ଆଜି ବି ଲୋକଙ୍କ ମନରେ ଜୀବନ୍ତ ରହିଛି ।

ପ୍ରେମ, ଏକାକୀପଣ, ସମ୍ପର୍କ, ବିରହ ଏବଂ ଆଶା... ଜୀବନର ଯେତେ ସବୁ ରଙ୍ଗ ରହିଛି, ବଶୀର ବଦ୍ର ସେସବୁକୁ ଅତି ସରଳତା ସହ କାଗଜ କଲମରେ ଉତାରିଥିଲେ ।

ଉଜାଲେ୍ ଅପନୀ ୟାଦୋଁ କେ ହମାରେ ସାଥ୍ ରହନେ ଦୋ,

ନ ଜାନେ କିସ୍ ଗଲି ମେ ଜିନ୍ଦଗୀ କୀ ଶାମ୍ ହୋ ଯାଏ...’

ବଶୀର ବଦ୍ର ସେହି ହାତ ଗଣତି କବିମାନଙ୍କ ମଧ୍ୟରୁ ଜଣେ ଥିଲେ ଯାହାଙ୍କ ଗଜଲ୍ କେବଳ ମୁଶାୟରା ପର୍ଯ୍ୟନ୍ତ ସୀମିତ ନଥିଲା । ତାଙ୍କ ପଂକ୍ତିଗୁଡ଼ିକ ଲୋକଙ୍କ ଡାଏରୀ, ହ୍ୱାଟ୍ସଆପ୍ ଷ୍ଟାଟସ୍, ପ୍ରେମପତ୍ର ଏବଂ ଭଙ୍ଗା ହୃଦୟର ସ୍ୱର ପାଲଟିଥିଲା । ବଶୀର ବଦ୍ରଙ୍କ ଲେଖାର ସବୁଠାରୁ ବଡ଼ ଶକ୍ତି ଥିଲା, କଠିନ ଶବ୍ଦରେ ନୁହେଁ ବରଂ ସରଳ ଲେଖାରେ ସେ ସିଧାସଳଖ ହୃଦୟକୁ ଛୁଇଁଥିଲେ । ତାଙ୍କ କବିତାରେ ଯନ୍ତ୍ରଣା ଥିଲା, କିନ୍ତୁ ଆଶା ମଧ୍ୟ ଥିଲା । ପ୍ରେମ ଥିଲା, କିନ୍ତୁ କୌଣସି ବାହାନା ନଥିଲା ।

‘ସର ସେ ପା ତକ୍ ୱୋ ଗୁଲାବୋଁ କା ଶଜର ଲଗତା ହେ

ବା-ବଜୁ ହୋକେ ଭି ଛୁତେ ହୁଏ ଡର ଲଗତା ହେ...’

୧୫ ଫେବ୍ରୁଆରୀ ୧୯୩୫ ମସିହାରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ବଶୀର ବଦ୍ର ପରେ ଭୋପାଳରେ ଜୀବନ ବିତାଇଥିଲେ । ସେ ଉର୍ଦ୍ଦୁ ସାହିତ୍ୟରେ ଅନେକ ସ୍ମରଣୀୟ ଗଜଲ, ପୁସ୍ତକ ଅବଦାନ ଦେଇଥିଲେ । ତାଙ୍କୁ ଅନେକ ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ କରାଯାଇଥିଲା । କିନ୍ତୁ ତାଙ୍କର ସର୍ବୋତ୍ତମ ସମ୍ମାନ ସେମାନଙ୍କଠାରୁ ଆସିଥିଲା ଯେଉଁମାନେ ତାଙ୍କ କବିତାକୁ ନିଜ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିଥିଲେ ।

'ମେ ତେରେ ସାଥ୍ ସିତାରୋଁ ସେ ଗୁଜର ସକତା ହୁଁ

କିତନା ଆସାନ ମୋହବତ କା ସଫର ଲଗତା ହେ...’

ବଶୀର ବଦ୍ର ଆଜି ଆଉ ନାହାନ୍ତି । କିନ୍ତୁ ତାଙ୍କର ପଂକ୍ତିଗୁଡ଼ିକ ହୁଏତ ସବୁଦିନ ପାଇଁ ରହିବ... କାହାର ସ୍ମୃତିରେ, କାହାର ପ୍ରେମରେ, କାହାର ଏକାକୀପଣରେ । ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବଶୀର ବଦ୍ରଙ୍କ ଏହି ବିୟୋଗରେ ସାରା ଦେଶର ସାହିତ୍ୟ ପ୍ରେମୀ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।