ନୂଆଦିଲ୍ଲୀ: ବାଂଲାଦେଶ ଷ୍ଟୁଡେଣ୍ଟ ଲିଗର ଅଧ୍ୟକ୍ଷ ସଦ୍ଦାମ ହୁସୈନ ମହମ୍ମଦ ୟୁନୂସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କ କଡ଼ା ସମାଲୋଚନା କରିଛନ୍ତି। ହୁସୈନ ବାଂଲାଦେଶର ପାକିସ୍ତାନ ସହ ବଢ଼ୁଥିବା ଘନିଷ୍ଠତାକୁ ନେଇ ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତାକରେ ସେ କହିଛନ୍ତି ଏହି କୂଟନୈତିକ ପରିବର୍ତ୍ତନ ବିପଜ୍ଜନକ। ଏହାସହ ସେ ଦାବି କରିଛନ୍ତି ଯେ, ଏହା ୧୯୭୧ର ମୁକ୍ତି ସଂଗ୍ରାମ ଉତ୍ତରାଦାୟିତ୍ବର ଅପମାନ ତଥା କ୍ଷେତ୍ରୀୟ ସ୍ଥିରତା ପାଇଁ ବିପଦ।
ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ୟୁନୂସଙ୍କ ଅନ୍ତରୀଣ ଶାସନ କେବଳ ଯେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଏବଂ ଚରମପନ୍ଥୀ ସଂଗଠନ ସହ ସମ୍ପର୍କକୁ ରଖୁନାହିଁ ବରଂ ସକ୍ରିୟ ଭାବରେ ପାକିସ୍ତାନକୁ ପ୍ରୋତ୍ସାହନ ମଧ୍ୟ ଦେଉଛି। ସୂଚନାଥାଉକି, ହୁସୈନ ଆବାମୀ ଲିଗ ସହ ଜଡ଼ିତ ରାଜନୈତିକ ଭାବରେ ସକ୍ରିୟ ଯୁବକଙ୍କ ଏକ ବଡ଼ ଗୋଷ୍ଠୀର ପ୍ରତିନିଧିତ୍ବ କରୁଛନ୍ତି।
ଏହି ସାକ୍ଷାତକାରରେ ସେ ୧୯୭୧ ମସିହାର ଗଣହତ୍ୟାରେ ପାକିସ୍ତାନର ଭୂମିକା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, "ସେମାନେ ଆମ ମାଟିରେ ଥରେ ଗଣହତ୍ୟା କରିଥିବା ଲୋକଙ୍କୁ ବୈଧତା ପ୍ରଦାନ କରୁଛନ୍ତି।" ସେ ସତର୍କ କରାଇଛନ୍ତି ଯେ ଇସଲାମିକ ମୌଳବାଦୀ ଏବଂ ଜମାତ-ଏ-ଇସଲାମି, ହିଜବୁତ୍-ତାହରିର, ଅନସାରୁଲ୍ଲା ବାଂଲା ଟିମ୍ ଏବଂ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ଗୋଷ୍ଠୀ, ଯାହାର ପାକିସ୍ତାନ ସହିତ ସମ୍ପର୍କ ଅଛି, ସେମାନଙ୍କୁ ଏବେ ସମର୍ଥନ ମିଳୁଛି ଏବଂ ଅନ୍ତରୀଣ ମୁଖ୍ୟଙ୍କ ଭଳି ଉଚ୍ଚପଦସ୍ଥ ଅଧିକାରୀମାନେ ସୋମନଙ୍କୁ ଭେଟୁଛନ୍ତି। ହୁସେନ ଅନ୍ତରୀଣ ସରକାର ଉପରେ ବାଂଲାଦେଶର ସ୍ୱାଧୀନତାର "ଇତିହାସକୁ ଲିଭାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି।"
ସେ ଆହୁରି କହିଛନ୍ତି ପୂର୍ବ ଆକ୍ରମଣ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାଶୁଣା ଉଗ୍ରବାଦୀମାନଙ୍କୁ ମୁକ୍ତ କରାଯାଉଛି ଏବଂ ସେମାନଙ୍କୁ ସରକାରୀ ସୁରକ୍ଷା ଦିଆଯାଉଛି। "ଏହି ଦଳଗୁଡ଼ିକ ଜୁଲାଇ ଏବଂ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରିଥିବା ରାଜନୈତିକ ଅସ୍ଥିରତାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।""ବର୍ତ୍ତମାନ, ଦେଶକୁ ଅସ୍ଥିର କରିବାରେ ସେମାନଙ୍କର ଭୂମିକା ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଉଛି," ସେ ଦାବି କରି ଚେତାବନୀ ଦେଇଛନ୍ତି ଯେ ପାକିସ୍ତାନର ISI ସହିତ ସକ୍ରିୟ ସମ୍ପର୍କ ଯୋଗୁ ବାଂଲାଦେଶ ଅନ୍ତର୍ଜାତୀୟ ଆତଙ୍କବାଦର ପ୍ରଜନନ ଭୂମି ହେବାର ଆଶଙ୍କା ରହିଛି।
ସଦ୍ଦାମ ହୁସେନ ବାଂଲାଦେଶର ବର୍ତ୍ତମାନର ପରିସ୍ଥିତିର ଏକ ଦୁଃଖଦ ଚିତ୍ର ପ୍ରଦାନ କରି କହିଛନ୍ତି ଯେ ସରକାର ପରିବର୍ତ୍ତନ ପରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାରେ ଚିନ୍ତାଜନକ ବୃଦ୍ଧି ଘଟିଛି। ସେ କହିଛନ୍ତି, "ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନେ ଭୟରେ ବଞ୍ଚୁଛନ୍ତି। ଅଗଷ୍ଟ ୫ ତାରିଖ ପରଠାରୁ, ସଂଖ୍ୟାଲଘୁ ଜନସଂଖ୍ୟାକୁ ଟାର୍ଗେଟ କରି ୨୨୦୦ରୁ ଅଧିକ ଘଟଣା ଘଟିଛି, ଯେଉଁଥିରେ ମୃତ୍ୟୁ, ଲୁଟ, ବଳପୂର୍ବକ ବିତାଡ଼ନ ଏବଂ ମନ୍ଦିର ଏବଂ ସମ୍ପତ୍ତି ଉପରେ ଆକ୍ରମଣ ଅନ୍ତର୍ଭୁକ୍ତ।" ଏହା ସହ ଅନ୍ତରୀଣ ସରକାର ଦ୍ବାରା ସଂଖ୍ୟାଲଘୁ ଗୋଷ୍ଠୀକୁ ସାର୍ବଜନୀନ ଜୀବନରୁ ଯୋଜନାବଦ୍ଧ ଭାବରେ ବାଦ୍ ଦେଉଥିବା ଅଭିଯୋଗ କରିଛନ୍ତି।