ଢାକା : ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହେବା ପରେ ବାଂଲାଦେଶ ଓ ଭାରତ ମଧ୍ୟରେ ସଂପର୍କ ଖରାପ ହୋଇଛି। ତାଙ୍କ ରାଜୁତିରେ ହିନ୍ଦୁଙ୍କ ବିରୋଧରେ ଖୁବ୍‌ ହିଂସାକାଣ୍ଡ ଘଟିଛି ଏବଂ ଅନେକ ହିନ୍ଦୁଙ୍କୁ ଜୀବନ ହରାଇବାକୁ ପଡ଼ିଛି। କିନ୍ତୁ ଏବେ ୟୁନୁସ ଏକ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି। ସେ ହିନ୍ଦୁ ସଂପ୍ରଦାୟ ବିରୋଧରେ ହିଂସାକାଣ୍ଡର ଖବରକୁ ଫେକ୍‌ ନ୍ୟୁଜ୍‌ ଭାବେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଏହା ଭାରତର ବିଶେଷତ୍ୱ। ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ମେହଦୀ ହସନଙ୍କ ସହ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ହିନ୍ଦୁ ସଂପ୍ରଦାୟ ଏହା କୁହନ୍ତୁ ନାହିଁ ଯେ, ମୁଁ ହିନ୍ଦୁ , ମୋର ରକ୍ଷା କର। ସେ କହିଛନ୍ତି, ହିନ୍ଦୁଙ୍କୁ କେବଳ ନିଜର ଧର୍ମ ଆଧାରରେ ସୁରକ୍ଷା ନେଇ ନିବେଦନ କରିବା ପରିବର୍ତ୍ତେ, ବାଂଲାଦେଶୀ ନାଗରିକ ଭାବେ ନିଜର ଅଧିକାର ଗୁଡ଼ିକର ଦାବି କରିବା ଉଚିତ୍‌।

ୟୁନୁସଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେବେ ହସନ ତାଙ୍କୁ ପଚାରିଲେ, ଗତ ନଭେମ୍ୱରରେ , ବାଂଲାଦେଶରେ ପାଖାପାଖି ୩୦,୦୦୦ ହିନ୍ଦୁ ଆପଣଙ୍କ ସରକାର ବିପକ୍ଷରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଏକାଠି ହୋଇ ଥିଲେ, ଏବଂ ଦାବି କରିଥିଲେ ଯେ, ତାଙ୍କ ସଂପ୍ରଦାୟ ଉପରେ ବହୁତ ଆକ୍ରମଣ ହୋଇଛି। (ଆମେରିକୀୟ ରାଷ୍ଟ୍ରପତି) ଡୋନାଲ୍ଡ ଟ୍ରମ୍ପ ବାଂଲାଦେଶରେ  ହୋଇଥିବା ହିଂସାକାଣ୍ଡକୁ ବର୍ବରତା କହିଥିଲେ। ଏହାର ଉତ୍ତରରେ ମହମ୍ମଦ ୟୁନୁସ କହିଥିଲେ , ସର୍ବ ପ୍ରଥମେତ କହିବି ଏହା ଫେକ୍‌ ନ୍ୟୁଜ୍। ଆପଣ ଏହି ଫେକ୍‌ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ। ସେ ଆହୁରି କହିଥିଲେ –ଏହି ସମୟରେ ଭାରତର ଏକ ବିଶେଷତ୍ୱ ଫେକ୍‌ ଖବର, କେବଳ ଫେକ୍‌ ଖବରର ଚର୍ଚ୍ଚା। ଯେବେ ହସନ ତାଙ୍କୁ ପଚାରି ଥିଲେ ଯେ,ସେମାନେ କଣ ହିଂସାକାଣ୍ଡର ଖବରକୁ ବଢାଇ ଚଢାଇ ଉପସ୍ଥାପନା କରୁଛନ୍ତି, କିମ୍ୱା କୌଣସି ହିନ୍ଦୁ ବିରୋଧୀ ହିଂସାକାଣ୍ଡ ହୋଇଛି ନା ନାହିଁ। ସେ କହିଥିଲେ, କେବେ କେବେ କିଛି ଝଗଡ଼ା , କିଛି ପାରିବାରିକ ସମସ୍ୟା , ଜମି ମାମଲା ହୋଇପାରେ।

ସେ ଦାବି ପୂର୍ବକ କହିଥିଲେ ( ଯଦି) ଆପଣ ମୋର ପଡୋଶୀ ।ଆପଣ ହିନ୍ଦୁ ପଡୋଶୀ , ମୁଁ ମୁସଲିମ ପଡୋଶୀ। ଆମର ଭୂମିର ସୀମାକୁ ନେଇ ବିବାଦ ଅଛି , ଠିକ୍‌ ସେମିତି ଯେମିତି ଦୁଇ ପଡୋଶୀ ମଧ୍ୟରେ ହୋଇଥାଏ। ଏଥିପାଇଁ ଆପଣ କହୁଛନ୍ତି ଏହା ହିନ୍ଦୁ-ମୁସଲିମ୍‌ ମାମଲା-ଏମିତି ନୁହେଁ। ସେ କହିଥିଲେ ଯେ, ଏହି ମାମଲାରେ ଅନ୍ତରୀଣ ସରକାର ଖୁବ୍‌ ସତର୍କ। କାରଣ ଏହା ଏକ ଜିନିଷ ଯାହା ଉପରେ ଭାତ ସର୍ବଦା ଜୋର ଦେଇ ଆସିଛି।