ବେଙ୍ଗାଲୁରୁ: ଟ୍ରାଫିକ୍ ସମସ୍ୟାକୁ ନେଇ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସବୁବେଳେ ଚର୍ଚ୍ଚାରେ ରୁହେ । ସହରବାସୀ ନାହିଁ ନଥିବା ଅସୁବିଧାର ସାମନା କରନ୍ତି । ସମସ୍ୟାର ସମାଧାନ କରିବାରେ ବଫଳ ରାଜ୍ୟ ସରକାର ୱିପ୍ରୋ ପ୍ରତିଷ୍ଠାତାଙ୍କୁ ଏକ ଅନୁରୋଧ କରିଥିଲେ । ୱିପ୍ରୋର ସରଜାପୁର ପରିସରରେ ସାର୍ବଜାନୀନ ଯାନବାହାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ମାଗିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ୱିପ୍ରୋ ସଂସ୍ଥାପକ ଅଜିମ୍ ପ୍ରେମଜୀ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି ଯେ ଏହା କମ୍ପାନିର ମାଲିକାନାରେ ଥିବା ବିଶେଷ ସମ୍ପତ୍ତି, ଏହା ସାର୍ବଜନୀନ ଯାତାୟାତ ପାଇଁ ନୁହେଁ । କମ୍ପାନି ପରିସରକୁ ସାର୍ବଜାନୀନ ଗାଡ଼ିର ଅନୁମତି ଦେବା ଦ୍ୱାରା ଗମ୍ଭୀର ଆଇନ, ପ୍ରଶାସନିକ ଓ ବୈଧାନିକ ଆହ୍ୱାନ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସେପ୍ଟେମ୍ବର ୧୯ରେ ଅଜିମ୍ ପ୍ରେମଜୀଙ୍କୁ ଚିଠି ଲେଖିଥିଲେ । ବେଙ୍ଗାଲୁରୁ ଆଉଟର୍ ରିଙ୍ଗ ରୋଡରେ ବଢ଼ୁଥିବା ଭିଡ଼କୁ କମ କରିବା ପାଇଁ କମ୍ପାନି କ୍ୟାମ୍ପସ ଦେଇ ସୀମିତ ଯାନବାହାନ ଚଳାଚଳକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଚିଠିର ଉତ୍ତରରେ, ଅଜିମ୍ ପ୍ରେମଜୀ ଲେଖିଛନ୍ତି, "ବେଙ୍ଗାଲୁରୁରେ ଟ୍ରାଫିକ୍ ଭିଡର ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛୁ । କିନ୍ତୁ ସରଜାପୁର କ୍ୟାମ୍ପସ ଦେଇ ସାର୍ବଜନୀନ ଯାନବାହନ ଚଳାଚଳ କରିବାକୁ ଅନୁମତି ଦେବା ପ୍ରସ୍ତାବ ଉପରେ ଭିନ୍ନ ମତ ରହିଛି । ଏହା କମ୍ପାନି ପାଇଁ ଗମ୍ଭୀର ଆଇନଗତ, ପ୍ରଶାସନିକ ଏବଂ ବୈଧାନିକ ଚ୍ୟାଲେଞ୍ଜ ସୃଷ୍ଟି କରିବ । କାରଣ ଏହା କମ୍ପାନିର ମାଲିକାନା ଥିବା ଏକ ବ୍ୟକ୍ତିଗତ ସମ୍ପତ୍ତି ଏବଂ ସାର୍ବଜନୀନ ପରିବହନ ପାଇଁ ଉଦ୍ଦିଷ୍ଟ ନୁହେଁ। "

ସେ ଆହୁରି କହିଛନ୍ତି, "ଆମର ସରଜାପୁର କ୍ୟାମ୍ପସ ଏକ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (SEZ) ଯାହା ବିଶ୍ୱସ୍ତରୀୟ ଗ୍ରାହକମାନଙ୍କୁ ସେବା ଯୋଗାଇଥାଏ । ବ୍ୟକ୍ତିଗତ ସମ୍ପତ୍ତି ଦେଇ ସାଧାରଣ ଯାନବାହନକୁ ଚଳାଚଳ କରିବାକୁ ଅନୁମତି ଦେବା ଏକ ସ୍ଥାୟୀ, ଦୀର୍ଘକାଳୀନ ସମାଧାନ ହେବ ନାହିଁ।" ଅଜିମ୍ ପ୍ରେମଜୀ କହିଛନ୍ତି ଯେ ବେଙ୍ଗାଲୁରୁର ଚ୍ୟାଲେଞ୍ଜଗୁଡ଼ିକର ସ୍ଥାୟୀ ସମାଧାନ ଖୋଜିବା ପାଇଁ ୱିପ୍ରୋ କର୍ଣ୍ଣାଟକ ସରକାରଙ୍କ ସହିତ ସହଭାଗୀତା ପାଇଁ ପ୍ରତିବଦ୍ଧ ।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପରାମର୍ଶ ଦେଇଥିଲେ ଯେ ୱିପ୍ରୋ କ୍ୟାମ୍ପସ ଦେଇ ସୀମିତ ଯାନବାହାନ ଚଳାଚଳକୁ ଅନୁମତି ଦିଆଯାଏ ତେବେ ଟ୍ରାଫିକ ଭିଡ଼ ଯଥେଷ୍ଟ ହ୍ରାସ ପାଇପାରିବ । ଏହି ପଦକ୍ଷେପ ପିକ୍ ଆୱାରରେ ପ୍ରାୟ ୩୦ ପ୍ରତିଶତ ଭିଡ଼ ହ୍ରାସ କରିପାରିବ । ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁର ଆଉଟର୍ ରିଙ୍ଗ ରୋଡରେ ଅନେକ ପ୍ରମୁଖ ଟେକ୍ କମ୍ପାନି ଏବଂ ଷ୍ଟାର୍ଟଅପ୍‌ର କାର୍ଯ୍ୟାଳୟ ରହିଛି । ଦୀର୍ଘ ଦିନ ଧରି ଟ୍ରାଫିକ୍ ସମସ୍ୟା, ଖରାପ ରାସ୍ତା ଓ ରକ୍ଷଣାବେକ୍ଷଣର ଅଭାବ ପାଇଁ ଏହା ଜର୍ଜରିତ ।