News7 Logo

ସିୟାଚିନ ବେସ୍ କ୍ୟାମ୍ପରେ ହିମସ୍ଖଳନ, ସେନାର ତିନି ଯବାନ ସହିଦ; ତୁଷାରପାତ ଯୋଗୁ ବଢିଲା ବିପଦ

NEWS7
siachin

ନୂଆଦିଲ୍ଲୀ: ଲଦାଖର ସିଆଚିନ୍ ଗ୍ଲାସିୟର ସ୍ଥିତ ବେସ୍ କ୍ୟାମ୍ପରେ ମଙ୍ଗଳବାର ଏକ ବଡ଼ ଧରଣର ହିମସ୍ଖଳନ ହୋଇଛି । ଏଥିରେ ସେନାର ତିନି ଜଣ ଯବାନ ପ୍ରାଣ ହରାଇଛନ୍ତି । ସେନା ସୂତ୍ର ଅନୁସାରେ ହଠାତ୍ ହିମସ୍ଖଳନ ହୋଇଥିଲା ଓ ଉଦ୍ଧାରକାରୀ ଦଳ ତୁରନ୍ତ ରେସ୍ୟୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେନାର ଅନ୍ୟ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଯବାନଙ୍କ ମୃତ ଦେହର ସନ୍ଧାନ କରାଯାଉଛି । ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ହିମସ୍ଖଳନର ବିପଦ ଅଧିକ ରହିଛି ।

ସିଆଚିନ୍ ଗ୍ଲାସିୟର ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର । ଏଠାରେ ତାପାମାତ୍ର ଶୂନରୁ ବିଯୁକ୍ତ ୬୦ ଡିଗ୍ରୀ ସେଲସିୟସ ତଳକୁ ଖସିଥାଏ । ଏହି କାରଣରୁ ସେଠାରେ ନିୟୋଜିତ ସୈନିକଙ୍କୁ ଫ୍ରଷ୍ଟବାଇଟ୍ ଅର୍ଥାତ୍ ଅଧିକ ଥଣ୍ଡା କାରଣରୁ ଶରୀର ବଧିର ହୋଇଯାଇଥାଏ । ମାଇନସ୍ ତାପମାତ୍ରାରେ ନିୟୋଜିତ ସୈନିକମାନଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶ୍ୱାସକ୍ରିୟା ସମସ୍ୟା ସହିତ, ସେମାନେ ମାନସିକ ନିଷ୍କ୍ରିୟତା ସମସ୍ୟାର ମଧ୍ୟ ସମ୍ମୁଖୀନ ହୁଅନ୍ତି ।

ସିଆଚିନ୍ ଗ୍ଲାସିୟର ଭାରତ-ପାକ୍ ନିୟନ୍ତ୍ରଣ ରେଖା ନିକଟରେ ୭୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଗୋଟିଏ ପଟେ ପାକିସ୍ତାନ ଏବଂ ଅନ୍ୟ ପଟେ ଚୀନ୍ ସୀମା ଅକ୍ସାଇ ଚୀନ୍ । ଏହି ଗ୍ଲାସିୟର ରଣନୈତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ । ୧୯୮୪ ପୂର୍ବରୁ ଏହି ସ୍ଥାନରେ ଭାରତୀୟ କିମ୍ବା ପାକିସ୍ତାନୀ ସେନାଙ୍କ ଉପସ୍ଥିତ ନଥିଲା । ୧୯୭୨ରେ ଶିମଲା ଚୁକ୍ତିନାମାରେ, ସିଆଚିନ୍ ଅଞ୍ଚଳକୁ ନିର୍ଜୀବ ଏବଂ ଶୁଷ୍କ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଚୁକ୍ତିନାମାରେ ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇ ନଥିଲା । ୧୯୮୪ରେ ଗୁଇନ୍ଦା ସୂଚନା ମିଳିଥିଲା ​​ଯେ ପାକିସ୍ତାନ ସିଆଚିନ୍ କବଜା କରିବାକୁ ଚେଷ୍ଟା କରୁଛି । ଏହା ପରେ ଭାରତ ୧୩ ଏପ୍ରିଲ ୧୯୮୪ରେ ତାର ସେନା ମୁତୟନ କରିଥିଲା । ଏହି ସ୍ଥାନକୁ କବଜା କରିବା ପାଇଁ ସେନା ଅପରେସନ୍ ମେଘଦୂତ ଆରମ୍ଭ କରିଥିଲା ।