ପୁରୀ ୦୨।୦୯ : ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ଦୁର୍ବୃତ୍ତମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯୁବକ ଜଣଙ୍କ ସଦର ଥାନା ଅଙ୍କିପାଟଣାର ବାବୁ ବରାଳ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କିଛି ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ଜଣେ ଯୁବକଙ୍କୁ ଲୁହା ଜିଆଇ ପାଇପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏପିରିକି ଯୁବକଙ୍କ ଦୁଇ ଗୋଡ଼ ଓ ହାତକୁ ଦୁର୍ବୃତ୍ତମାନେ ଲୁହା ପାଇପରେ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି । ପୁରୀ ବୁଧିଆବର ଛକ କଳଘର ନିକଟରେ ଏହି ଘଟଣା ଘଟିଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ଯାଏଁ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସେପଟେ ଆକ୍ରମଣ ପରେ ପୁରୀ ସଦର ଥାନାରେ ବାବୁ ବରାଳଙ୍କ ପତ୍ନୀ ସୁମୁତ୍ରା ବରାଳ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡିଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀ ଏସ୍‌ପି ପ୍ରତୀକ ସିଂ ଘଟଣାକୁ ଗୁରୁତର ସହ ନେଇ ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।