LIVE TV

କାରଗିଲ ଯୁଦ୍ଧ ବେଳେ ଆମେ ବି ହାତ ମିଳାଇଥିଲୁ...ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ ଟିମ୍ ଇଣ୍ଡିଆକୁ ଥରୁରଙ୍କ ପରାମର୍ଶ

NEWS7
sashi tharur

ନୂଆଦିଲ୍ଲୀ ୨୫/୦୯: ଚାଲିଛି ଏସିଆ କପ୍ । ଖାସ୍ କରି ଏସିଆ କପ୍‌କୁ ତେଜିଛି ବିବାଦ । ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ପ୍ରବଳ ଚର୍ଚ୍ଚା । କାରଣ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ହ୍ୟାଣ୍ଡସେକ୍ ବିବାଦ । ଆଗକୁ ଫାଇନାଲରେ ଭାରତ-ପାକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଅଧିକ ଚର୍ଚ୍ଚା ନଜର ଆସିଛି । ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର ।

ଗଣମାଧ୍ୟମ ସହ କଥା ହୋଇ ଥରୁର କହିଛନ୍ତି ଯେ ପାକିସ୍ତାନ ବିରୋଧରେ ଭାବନା ଆମେ ବୁଝୁଛୁ । କିନ୍ତୁ ଖେଳର ଆତ୍ମାକୁ ରାଜନୀତି ଓ ସାମରିକ ସଂଘର୍ଷଠାରୁ ଅଲଗା ରଖିବା ଉଚିତ । ସେ କହିଛନ୍ତି, ବ୍ୟକ୍ତିଗତ ଭାବରେ, ମୁଁ ବିଶ୍ୱାସ କରେ ଯେ ଯଦି ଆମେ ପାକିସ୍ତାନ ଉପରେ ଏତେ ରାଗିଛୁ । ତେବେ ଆମକୁ ଆଦୌ ଖେଳିବା ଉଚିତ୍ ନୁହେଁ । କିନ୍ତୁ ଯଦି ଆମେ ଖେଳୁଛୁ, ତେବେ ଆମକୁ ଖେଳର ଆତ୍ମା ​​ଭିତରେ ଖେଳିବା ଓ ସେମାନଙ୍କ ସହିତ ହାତ ମିଳାଇବା ଉଚିତ୍। ଆମେ ଏହା ପୂର୍ବରୁ ୧୯୯୯ରେ କରିଥିଲୁ ।

 

ଯେତେବେଳେ କାର୍ଗିଲ୍ ଯୁଦ୍ଧ ଚାଲିଥିଲା । ଯେଉଁଦିନ ଆମର ସୈନିକମାନେ ଦେଶ ପାଇଁ ପ୍ରାଣ ହରାଉଥିଲେ । ସେହି ଦିନ ଆମେ ଇଂଲଣ୍ଡରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଖେଳୁଥିଲୁ । ସେତେବେଳେ ମଧ୍ୟ ଆମେ ସେମାନଙ୍କ ସହିତ ହାତ ମିଳାଇଥିଲୁ । କାରଣ ଖେଳର ଆତ୍ମା ​​ଭିନ୍ନ ଓ ଦେଶ କିମ୍ବା ସେନା ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ। ଏହା ମୋର ମତ। କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ଉଭୟ ପକ୍ଷର ପ୍ରତିକ୍ରିୟା କ୍ରୀଡ଼ା ମନୋଭାବର ଅଭାବକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, "ପୂର୍ବରୁ ଅପମାନିତ ହେବା ପରେ ଯଦି ପାକିସ୍ତାନୀ ଦଳ ଦ୍ୱିତୀୟ ଥର ଆମକୁ ଅପମାନିତ କରିଛି । ତେବେ ଏହା ଦର୍ଶାଉଛି ଯେ ଉଭୟ ପକ୍ଷରେ କ୍ରୀଡ଼ା ମନୋଭାବର ଅଭାବ ଅଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୁରୁବାର ଦିନ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏସିଆ କପ୍ ସୁପର ଫୋର୍ ମ୍ୟାଚ୍ (ସେପ୍ଟେମ୍ବର ୨୧) ସମୟରେ ପାକିସ୍ତାନୀ ଖେଳାଳି ସାହିବଜାଦା ଫରହାନ ଓ ହାରିସ ରୌଫଙ୍କ ଅନୁପଯୁକ୍ତ ଆଚରଣ ପାଇଁ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛି। ବିସିସିଆଇ ଏହାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ନିକଟକୁ ପଠାଇଛି। ଭାରତୀୟ ଦଳ ଉଭୟ ଖେଳାଳିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।