ନୂଆଦିଲ୍ଲୀ ୩୦।୧୧: ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରଣ ହୋଇଛି। ଶନିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି ଘଟଣା ରାଜଧାନୀ ରାଜନୀତିକୁ ଏବେ ଉଷ୍ମ କରିଛି। ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଦୃଷ୍ଟିରୁ ଆମ ଆଦମୀ ପାର୍ଟି (ଆପ୍) ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇଯାଇଛି। ପଦଯାତ୍ରା ଚାଲିଥିବା ବେଳେ କେହି ଜଣେ ବ୍ୟକ୍ତି ଅଚାନକ କେଜରିୱାଲଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିଥିଲା।
ଗୁରୁତର ଅଭିଯୋଗ ଆଣିଲା ‘ଆପ’
ଘଟଣା ପରେ ଆପ ବିଜେପିକୁ ଦାୟି କରିଛି। ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବାର ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଆପ କହିଛି ଯେ ଅମିତ ଶାହଙ୍କ ଦ୍ୱାରା ଦିଲ୍ଲୀର ଆଇନଶୃଙ୍ଖଳା ନିୟନ୍ତ୍ରିତ ହୋଇ ପାରୁ ନାହିଁ। ଏହି ଘଟଣାରୁ ଜାତୀୟ ରାଜଧାନୀର ଆଇନଶୃଙ୍ଖଳା କେତେ ଢିଲା ତାହା ପ୍ରମାଣିତ କରୁଛି ବୋଲି ଆପ କହିଛି।
ଆତିଶୀ ବି ଆଣିଲେ ଅଭିଯୋଗ
ମୁଖ୍ୟମନ୍ତ୍ରୀ ଆତିଶୀ ଘଟଣାକୁ ନେଇ ଏକ୍ସ ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ସିଧା ବିଜେପିକୁ ଦାୟି କରିଛନ୍ତି। ସେ ଲେଖିଛନ୍ତି ଯେ ଆଜି ସ୍ପଷ୍ଟ ଦିବାଲୋକରେ ବିଜେପି କାର୍ଯ୍ୟକର୍ତ୍ତା ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ କରିଛନ୍ତି। ତୃତୀୟବାର ଦିଲ୍ଲୀ ନିର୍ବାଚନ ହାରିବା ଆଶଙ୍କାରେ ବିଜେପି ଏପରି ଅସ୍ଥିର ହେଉଛି। ଦିଲ୍ଲୀବାସୀ ବିଜେପିର ଏପରି ଆଚରଣର ପ୍ରତିଶୋଧ ନେବେ। ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ୮ଟି ଆସନ ମିଳିଥିଲା, ଏଥର ନିର୍ବାଚନରେ ଶୁନ୍ ସିଟ୍ ମିଳିବ।
आज दिन दहाड़े भाजपा के कार्यकर्ता ने @ArvindKejriwal जी पर हमला किया। दिल्ली का चुनाव तीसरी बार हारने की बौखलाहट भाजपा में दिख रही है।
— Atishi (@AtishiAAP) November 30, 2024
भाजपा वालों: दिल्ली के लोग ऐसी घटिया हरकतों का बदला लेंगे। पिछली बार 8 सीटें आयीं थी, इस बार दिल्ली वाले भाजपा को ज़ीरो सीट देंगे pic.twitter.com/LgJGN1aQ0T
ଘଟଣାକୁ ନେଇ ମୁହଁ ଖୋଲିରେ କେଜରିୱାଲ
ଘଟଣା ପରେ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀର ଏକ ବ୍ୟସ୍ତତମ ଅଞ୍ଚଳ ପଞ୍ଚଶୀଳରେ ଜଣେ ବୟୋଜ୍ୟେଷ୍ଠ ନାଗରିକଙ୍କ ହତ୍ୟା ହୋଇଥିଲା। ଆଜି ତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛି। ଘଟଣାରେ ପୁରା ପରିବାର ଆତଙ୍କ ଓ ଦୁଃଖରେ ଅଛନ୍ତି। ଦିଲ୍ଲୀରେ ଆଜିକାଲି ବରିଷ୍ଠ ନାଗରିକ, ମହିଳା, ବ୍ୟବସାୟୀ ଏପରିକି ସବୁ ବର୍ଗ ଏବେ ଅପରାଧର ଶିକାର ହେଉଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଜୀ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନାହାନ୍ତି।
୩୫ ଦିନରେ ତୃତୀୟ ଆକ୍ରମଣ
ଆପ କହିଛି ଯେ ଗତ ୩୫ ଦିନରେ କେଜରିୱାଲଙ୍କ ଉପରେ ଏହା ତୃତୀୟ ଆକ୍ରମଣ। ଏହା ପୂର୍ବକୁ ଅକ୍ଟୋବର ୨୫ ତାରିଖ ଦିନ ବିକାଶପୁରୀ, ନଭେମ୍ବର ୨୭ରେ ନାଙ୍ଗଲୋଇ ଓ ୩୦ ନଭେମ୍ବର ଶନିବାର ଗ୍ରେଟର କୈଳାଶରେ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ଦୈନିକ ପଦଯାତ୍ରା କରୁଛନ୍ତି। ଏହିକ୍ରମରେ ସେ ଶନିବାର ଗ୍ରେଟର କୈଳାଶରେ ପଦଯାତ୍ରା କରୁଥିଲେ। ତେବେ ବିଜେପି ଏହି ଘଟଣା ପାଇଁ ଆପକୁ ଦାୟି କରିଛି। କେଜରିୱାଲ ନିଜ ଉପରେ ନିଜେ ଆକ୍ରମଣ କରାଇଛନ୍ତି ବୋଲି ବିଜେପି ନେତା କହିଛନ୍ତି। ଆଗକୁ ପରାଜୟ ଆଶଙ୍କାରେ ଆପ ଏପରି କରୁଛି। ଆମେ ରାଜନୈତିକ ପାର୍ଟି ହୋଇଥିବାରୁ ଏପରି କୌଣସି ଆକ୍ରମଣକୁ ସମର୍ଥନ କରୁ ନାହୁଁ। ଏଣୁ ଦିଲ୍ଲୀ ପୋଲିସ ମାମଲାର ଯାଞ୍ଚ କରି ସତ୍ୟତା ସାମ୍ନାକୁ ଆଣୁ ବୋଲି ବିଜେପି କହିଛି।