ନୂଆଦିଲ୍ଲୀ: ସରକାରଙ୍କ ପ୍ରୋତ୍ସାହନ ପରେ କମାଲ କଲା ଭାରତର ସ୍ୱଦେଶୀ ମେସେଜିଂ ଆପ୍ ଆରାଟ୍ଟାଇ। WhatsAppକୁ ପଛରେ ପକାଇ ଆପ୍ ଷ୍ଟୋରରେ ଶୀର୍ଷ ସ୍ଥାନ ହାସଲ କରିଛି ଏହି ଭାରତୀୟ ଇନଷ୍ଟାଣ୍ଟ ମେସେଜିଂ ଆପ୍। ଏନେଇ କମ୍ପାନୀ ଏକ୍ସରେ ଘୋଷଣା କରିଛି। ଏଥିରେ କମ୍ପାନୀ ଲେଖିଛି "ଆମେ ଆପ ଷ୍ଟୋରରେ ସୋସିଆଲ ନେଟୱାର୍କିଂରେ ଆନୁଷ୍ଠାନିକ ଭାବରେ ନମ୍ବର ୧ରେ ଅଛୁ!" ଗତ କିଛିଦିନ ହେବ ଦେଶରେ ଆରାଟ୍ଟାଇକୁ ନେଇ ଚାଲିଥିବା ଚର୍ଚ୍ଚା ଯୋଗୁ ଆପ୍‌ ଷ୍ଟୋରରେ ଏହାର ଲୋକପ୍ରିୟତା ବଢ଼ି ଯାଇଛି।

ହ୍ୱାଟ୍ସଆପ୍‌କୁ ଟକ୍କର ଦେବାକୁ ଭାରତୀୟ କମ୍ପାନୀ ଜୋହୋ କର୍ପୋରେସନ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଅରାଟ୍ଟାଇକୁ ଡେଭଲପ କରିଛି। ଏହାକୁ ଭାରତରେ ହ୍ୱାଟ୍ସଆପ୍‌ରେ ଦେଶୀ ବିକଳ୍ପ  ଭାବେ ଦେଖାଯାଉଛି। ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆପ୍‌କୁ ଡାଉନଲୋଡ୍ କରି ସ୍ୱଦେଶୀ ସାମଗ୍ରୀ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ବୁଧବାର ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନ ଏହି ଅରାଟ୍ଟାଇ ଆପ୍‌କୁ ଫ୍ରି,ବ୍ୟବହାର କରିବା ସହଜ ଓ ସୁରକ୍ଷିତ ବୋଲି କହିଛନ୍ତି। ଏବଂ ଆପ୍‌କୁ ଡାଉନଲୋଡ୍ କରିବାକୁ ସେ ଅନୁରୋଧ କରିଛନ୍ତି।  

ଅରାଟ୍ଟାଇ କଣ ଆସନ୍ତୁ ଜାଣିବା

ଅରାଟ୍ଟାଇ ମାନେ ତାମିଲ ଭାଷାରେ ସାଧାରଣ କଥାବାର୍ତ୍ତା ହେବା ଯାହାକୁ ଇଂରାଜୀରେ କାଜୁଆଲ ଚାଟ୍‌ ବୋଲି କୁହାଯାଉଛି। ଏହା ହିଁ ତ ଏହି ଆପ୍ଲିକେସନର ମୂଳ ଲକ୍ଷ୍ୟ। ଏଥିରେ ବି ୟୁଜର ହ୍ୱାଟ୍ସଆପ୍ ପରି ଟେକ୍ସଟ୍ ମେସେଜ୍, ଇମେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପଠାଇପାରିବେ। ଭଏସ୍ ଏବଂ ଭିଡିଓ କଲ୍ କରିପାରିବେ। ଷ୍ଟୋରି କ୍ରିଏଟ କରିବା ସହି ଚ୍ୟାନେଲ୍ ମ୍ୟାନେଜ୍ କରିପାରିବେ। କଣ୍ଟେଣ୍ଟ-ସେୟାରିଂ ପିଚର୍ସ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟବସାୟିକ ସଂସ୍ଥା ଏହି ପ୍ଲାଟଫର୍ମ ବ୍ୟବହାର କରିପାରିବେ।

ଉପଭୋକ୍ତା ଗୋପନୀୟତାକୁ ଦୃଷ୍ଟିରେ ରଖି ଆରାଟ୍ଟାଇ ବର୍ତ୍ତମାନ କେବଳ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ କଲ୍ ସୁବିଧା ଦେଉଛି। ଏଥିରେ ଭଏସ୍ ଏବଂ ଭିଡିଓ କଲରେ ୟୁଜର ଗୋପନୀୟତା ସୁରକ୍ଷିତ ରହିବ। ତେବେ ମେସେଜ୍‌ରେ ଏହି ସୁବିଧା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ତେବେ ଏନେଇ କାମ ଚାଲିଛି ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି।

ତେବେ ଏବି ଦେଶି ହ୍ୱାଟ୍ସଆପ୍ ଆରାଟ୍ଟାଇ ନେଇ ଏହାର ନିର୍ମାତା ଜୋହୋ ଓ କେନ୍ଦ୍ର ସରକାର ମଧ୍ୟ ବେଶ ଆଶାବାଦୀ ରହିଛନ୍ତି। ଭାରତୀୟମାନଙ୍କୁ ବିଶ୍ୱର ଟପ୍ ଟେକ୍ ପ୍ରଡକ୍ସର ସୁବିଧା ଦେବା ପାଇଁ ଏହି ଆପ୍‌ କମ୍ପନୀର ବ୍ୟାପକ ରଣନୀତିର ଏକ ଅଂଶ। ଲୋକଙ୍କୁ ସ୍ୱଦେଶୀ ସହିତ ଯୋଡ଼ି ରଖିବା ବି ଏହାର ମୂଳ ଲକ୍ଷ୍ୟ।

ତେବେ କେନ୍ଦ୍ର ସରକାରଙ୍କର ପ୍ରୋତ୍ସାହନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆରାଟ୍ଟାଇ ଆପ୍ ବ୍ୟବହାର କରିବାର ଆହ୍ୱାନ ଯୋଗୁ ଏହି ଆପ୍ ଭାରତରେ ପରିଚିତ ହୋଇଥିବା ବେଳେ ଏଥିରେ ଆହୁରି ଅନେକ ଡେଭଲପ ହେବାର ରହିଛି। ମେସେଜ୍‌ର ସୁରକ୍ଷା ପାଇଁ ଏଣ୍ଡ ଟୁ ଏଣ୍ଡ ଇନକ୍ରିପ୍ସନ ସୁବିଧା ବର୍ତ୍ତମାନ ସୁବିଧା ମିଳିପାରି ନାହିଁ। ଏହା ଡେଭଲପ ମୋଡ୍‌ରେ ରହିଛି। ତେଣୁ ବର୍ତ୍ତମାନ ଆରାଟ୍ଟାଇ ଭାରତରେ ହ୍ୱାଟ୍ସଆପ୍‌କୁ ଟକ୍କର ଦେଇପାରିବ ନାହିଁ। ଏଥିପାଇଁ ଯଦିଓ ସମୟ ଲାଗିବ, ତେବେ ହ୍ୱାଟ୍ସଆପ୍‌କୁ ଏହି ଆପ୍‌ ନିଶ୍ଚୟ ଟକ୍କର ଦେବ।