ନୂଆଦିଲ୍ଲୀ: ଦିନକୁ ଦିନ ରେକର୍ଡ କରୁଛି ଭାରତୀୟ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ଆରାଟ୍ଟାଇ। ଗତ ଶନିବାର ସୁଦ୍ଧା ଏହି ଆପ୍ ଆପ୍‌ଷ୍ଟୋରରେ ଶୀର୍ଷରେ ଥିବା ବେଳେ ଏବେ ବହୁ ସଂଖ୍ୟାରେ ଭାରତୀୟ ଏହାକୁ ଇନଷ୍ଟଲ କରୁଥିବା ଦେଖିବାକୁ ମିଳୁଛି। ଜୋହୋ କର୍ପୋରେସନ ନାମକ ଚେନ୍ନାଇ ସ୍ଥିତ ଏକ ଭାରତୀୟ କମ୍ପାନୀ ହ୍ୱାଟ୍ସଆପ୍‌ର ବିକଳ୍ପ ଭାରତୀୟ ଆପ୍ ଭାବେ ଏହାର ଡେଭଲପ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକାଲ ଫର ଭୋକାଲ ନାରା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆରାଟ୍ଟାଇ ଆପ୍ ଡାଉନଲୋଡ୍ କରିବାକୁ ଆହ୍ୱାନ ପରେ ଏହାକୁ ବହୁଳମାତ୍ରାରେ ଇନଷ୍ଟଲ କରାଯାଉଛି।

ଏହି ଆପ୍‌ରେ  ଗତ ତିନି ଦିନ ମଧ୍ୟରେ ଦୈନିକ ସାଇନ୍-ଅପ୍ ସଂଖ୍ୟାରେ ଏକ ବଡ଼ ବୃଦ୍ଧି ହୋଇଛି। ଦୈନିକ ସାଇନ ଅପ୍ ସଂଖ୍ୟା ୩,୦୦୦ ରୁ ଆଶ୍ଚର୍ଯ୍ୟଜନକ ଭାବରେ ୩,୫୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏବଂ ଏହି ଧାରା ଜାରି ରହିଛି। ଆରାଟ୍ଟାଇର ଲୋକପ୍ରିୟତା ପରେ ଲୋକେ ଏହାକୁ ହ୍ୱାଟ୍ସଆପ୍‌ରେ ବିକଳ୍ପ ବୋଲି ଭାବିଲେଣି।  

ଅରାଟ୍ଟାଇ ମାନେ ତାମିଲ ଭାଷାରେ ସାଧାରଣ କଥାବାର୍ତ୍ତା ହେବା ଯାହାକୁ ଇଂରାଜୀରେ କାଜୁଆଲ ଚାଟ୍‌ ବୋଲି କୁହାଯାଉଛି। ଏହା ହିଁ ତ ଏହି ଆପ୍ଲିକେସନର ମୂଳ ଲକ୍ଷ୍ୟ। ଏଥିରେ ବି ୟୁଜର ହ୍ୱାଟ୍ସଆପ୍ ପରି ଟେକ୍ସଟ୍ ମେସେଜ୍, ଇମେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପଠାଇପାରିବେ। ଭଏସ୍ ଏବଂ ଭିଡିଓ କଲ୍ କରିପାରିବେ। ଷ୍ଟୋରି କ୍ରିଏଟ କରିବା ସହି ଚ୍ୟାନେଲ୍ ମ୍ୟାନେଜ୍ କରିପାରିବେ। କଣ୍ଟେଣ୍ଟ-ସେୟାରିଂ ପିଚର୍ସ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟବସାୟିକ ସଂସ୍ଥା ଏହି ପ୍ଲାଟଫର୍ମ ବ୍ୟବହାର କରିପାରିବେ।

ଉପଭୋକ୍ତା ଗୋପନୀୟତାକୁ ଦୃଷ୍ଟିରେ ରଖି ଆରାଟ୍ଟାଇ ବର୍ତ୍ତମାନ କେବଳ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ କଲ୍ ସୁବିଧା ଦେଉଛି। ଏଥିରେ ଭଏସ୍ ଏବଂ ଭିଡିଓ କଲରେ ୟୁଜର ଗୋପନୀୟତା ସୁରକ୍ଷିତ ରହିବ। ତେବେ ମେସେଜ୍‌ରେ ଏହି ସୁବିଧା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ତେବେ ଏନେଇ କାମ ଚାଲିଛି ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି।

ତେବେ ଏବି ଦେଶି ହ୍ୱାଟ୍ସଆପ୍ ଆରାଟ୍ଟାଇ ନେଇ ଏହାର ନିର୍ମାତା ଜୋହୋ ଓ କେନ୍ଦ୍ର ସରକାର ମଧ୍ୟ ବେଶ ଆଶାବାଦୀ ରହିଛନ୍ତି। ଭାରତୀୟମାନଙ୍କୁ ବିଶ୍ୱର ଟପ୍ ଟେକ୍ ପ୍ରଡକ୍ସର ସୁବିଧା ଦେବା ପାଇଁ ଏହି ଆପ୍‌ କମ୍ପନୀର ବ୍ୟାପକ ରଣନୀତିର ଏକ ଅଂଶ। ଲୋକଙ୍କୁ ସ୍ୱଦେଶୀ ସହିତ ଯୋଡ଼ି ରଖିବା ବି ଏହାର ମୂଳ ଲକ୍ଷ୍ୟ।