ନୂଆଦିଲ୍ଲୀ ୨୬।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଆଇଏନଏକ୍ସ ମିଡିଆ ପ୍ରାଇଭେଟ ଲିମିଟେଡ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଙ୍କ ବିରୋଧରେ ମାମଲା ଚଳାଇବାକୁ ମଞ୍ଜୁରୀ ମିଳିଯାଇଛି। ଏଜେନ୍ସୀକୁ ଏହି ମଞ୍ଜୁରୀ ୧୦ ଫେବୃଆରୀ ୨୦୨୬ରେ ମିଳିଥିଲା, ଏହା ପରେ ନୂଆଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଏହାକୁ ଉପସ୍ଥାପନ କରାଯାଇଛି। ଏହା ଦ୍ୱାରା ମାମଲାର ପରବର୍ତ୍ତି ଶୁଣାଣିରେ ଥିବା ବାଧା ଏବେ ଦୂର ହୋଇଛି ବୋଲି ଇଡି କହିଛି। ଏହି ଯାଞ୍ଚ ୧୫ ମାର୍ଚ୍ଚ ୨୦୧୭ରେ ସିବିଆଇ ଦ୍ୱାରା ରୁଜୁ ଏତଲା ଆଧାରରେ ଆରମ୍ଭ ହୋଇଥିଲା।

ଆଇଏନଏକ୍ସ ନ୍ୟୁଜ ପ୍ରାଇଭେଟ ଲିମିଟେଡ ଓ ଅନ୍ୟଙ୍କ ବିରୋଧରେ ବିଏନଏସ ର ଧାରା ୪୨୦, ୧୨୦-ବି ଓ ଦୁର୍ନୀତି ନିବାରଣ ଅଧିନିୟମ ୧୯୮୮ର ସମ୍ପର୍କିତ ଧାରାରେ ମୋକଦ୍ଦମା ରୁଜୁ ହୋଇଥିଲା। ଏହି ପ୍ରକରଣରେ କାର୍ତ୍ତି ପି.ଚିଦାମ୍ବରମଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ଯାଞ୍ଚ ଏଜେନ୍ସୀଙ୍କ ଅନୁସାରେ ବିଦେଶୀ ନିବେଶ ସମ୍ବର୍ଦ୍ଧନ ବୋର୍ଡର ମଞ୍ଜୁରୀ ଆଇଏନେକ୍ସ ମିଡିଆକୁ ସେହି ସମୟରେ ଦିଆଯାଇଥିଲା ଯେତେବେଳେ ପି.ଚିଦାମ୍ବରମ କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିଲେ। ଏହି ମଞ୍ଜୁରୀକୁ ପରେ ନିୟମିତ କରିବା ପରିବର୍ତ୍ତେ ଅବୈଧ ଲାଭ ଦାବି କରାଯାଇଥିଲା ଓ ତାହା ବି ମିଳିଯାଇଥିଲା। ଇଡି ଦାବି ଅନୁସାରେ ଏହି ବିପୁଳ ଧନରାଶି କାର୍ତ୍ତି ଚିଦାମ୍ବରମଙ୍କ କମ୍ପାନୀ ଓ ସଂସ୍ଥାଙ୍କ ମାଧ୍ୟମରେ ପ୍ରାପ୍ତ କରାଯାଇଥିଲା।

ଯାଞ୍ଚରୁ ଏହା ବି ଜଣାପଡିଛି ଯେ କଥିତ ରୂପେ ପ୍ରାପ୍ତ ଧନକୁ ବିଭିନ୍ନ କମ୍ପାନୀଙ୍କ ମାଧ୍ୟମରେ ହେରଫେର କରାଯାଇଥିଲା, ଯେପରି ଏହାର ସ୍ରୋତକୁ ଲୁଚା ଯାଇ ପାରିବ। ଏଜେନ୍ସୀ କହିବା କଥା ହେଉଛି ଏହି ଧନକୁ କିସ୍ତି ଆକାରରେ ଅଲଗା ଅଲଗା ଆକାଉଣ୍ଟକୁ ପଠାଯାଇଥିଲା। ପରେ ସେୟାରରେ ନିବେଶ ଓ ସମ୍ପତ୍ତି କ୍ରୟ ମାଧ୍ୟମରେ ବୈଧ ଦର୍ଶାଇବାକୁ ଉଦ୍ୟମ କରାଯାଇଥିଲା। ଅପରାଧରୁ ଅର୍ଜିତ ମୋଟ ଆୟର ପରିମାଣ ପାଖାପାଖି ୬୫.୮୮କୋଟି ଟଙ୍କା ବୋଲି ଇଡି ଆକଳନ କରିଛି। ଏହା ପୂର୍ବରୁ ୧୦ ଅକ୍ଟୋବର ୨୦୧୮ରେ ୫୩.୯୩କୋଟି ଓ ୩୧ ମାର୍ଚ୍ଚ ୨୦୨୩ରେ ୧୧.୦୪କୋଟି ଟଙ୍କାର ସମ୍ପତ୍ତି ଅସ୍ଥାୟୀ ରୂପେ କୋରକ କରାଯାଇଥିଲା, ଯାହାକୁ ପରେ ପୁଷ୍ଟି ମଧ୍ୟ କରାଯାଇଛି।

ଇଡି ଏହି ମାମଲାରେ ପ୍ରଥମ ପ୍ରସିକ୍ୟୁସନ ଅଭିଯୋଗ ୧ ଜୁନ ୨୦୨୦ରେ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଥିଲା। ଯାହା ଉପରେ କୋର୍ଟ ୨୪ ମାର୍ଚ୍ଚ ୨୦୨୧ରେ ସଂଜ୍ଞାନ ନେଇଥିଲେ। ଏହା ପରେ ୧୬ ଡିସେମ୍ବର ୨୦୨୪ରେ ଏକ ସପ୍ଲିମିଣ୍ଟାରୀ ଅଭିଯୋଗ ମଧ୍ୟ ଦାଖଲ ହୋଇଥିଲା। ଏଜେନ୍ସୀର କହିବା କଥା ହେଉଛି ମାମଲାର ଦ୍ରୁତ ଶୁଣାଣି ତାଙ୍କର ମୂଳ ଉଦ୍ଦେଶ୍ୟ। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ୬ ନଭେମ୍ବର ୨୦୨୪ରେ ଏକ ରାୟରେ କହିଥିଲେ ଯେ ଆଇପିସିର ଧାରା ୧୯୭ ଅନୁସାରେ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ପୂର୍ବ ଅନୁମତି ଆବଶ୍ୟକ।

ସେହି ଅନୁସାରେ ଇଡି ସମ୍ପର୍କିତ ଅଧିକାରୀଙ୍କଠାରୁ ଅନୁମତି ମାଗିଥିଲେ। ଏବେ ଅନୁମତି ମିଳିବା ପରେ ତାକୁ କୋର୍ଟରେ ଉପସ୍ଥାପନ କରିଛି, ମନିଲଣ୍ଡ୍ରିଂ ମାମଲାରେ ପି.ଚିଦାମ୍ବରମଙ୍କ ବିରୋଧରେ ମୋକଦ୍ଦମା ଯେପରି ଆଗକୁ ବଢିପାରିବ। ତେବେ ମାମଲା ଏବେ ବିଶେଷ କୋର୍ଟଙ୍କ ବିଚାରାଧୀନ ରହିଛି।