LIVE TV

ମଙ୍ଗଳବାର ଯାଏଁ ଶୁଖିଲା ରହିବ ପାଗ, ଅକ୍ଟୋବର ପହିଲାରେ ଆଉ ଏକ ଲଘୁଚାପ

NEWS7
weather

ଭୁବନେଶ୍ୱର ୨୯।୦୯ : ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ୨ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଅଧିକ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ  ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ାକୋରାପୁଟ, ମାଲକାନଗିରି, ଗଞ୍ଜାମଗଜପତି, କଟକ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ଅଧିକ ବର୍ଷା ହୋଇପାରେ । ୩ରେ ନବରଙ୍ଗପୁର, ନୂଆପଡ଼ାବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ରେ  ଅଧିକ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବରିଷ୍ଠ କୃଷି ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ୩୦ ତାରିଖରେ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଲଘୁଚାପ ହେବ । ୨ ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ। ପରେ ଏହା ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଇବ। କିନ୍ତୁ ଏହା  ଉପକୂଳରୁ ଦୂରରେ ରହିବ । ୩ ତାରିଖରେ ଏହା ଦକ୍ଷିଣ ଓଡ଼ିଶା ଉପକୂଳ ବା ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ସ୍ପର୍ଶ କରିପାରେ ।

୩୦ ତାରିଖରେ ପାଗ ଶୁଖିଲା ରହିବ। ଅକ୍ଟୋବର ୧ ତାରିଖ ବା ନବମୀରେ ଉତ୍ତର ଉପକୂଳରେ ବିକ୍ଷିପ୍ତ ବର୍ଷା ହୋଇପାରେ। ପୁରୀ, ଗଞ୍ଜାମନୟାଗଡ଼ ଓ ଗଜପତିରେ ହାଲୁକାରୁ  ସ୍ୱଳ୍ପ ବର୍ଷା ହୋଇପାରେ। ଅକ୍ଟୋବର ୨ ତାରିଖ ବା ଦଶମୀରେ ମଧ୍ୟାହ୍ନ ଯାଏ ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ  ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇପାରେ। ଦଶହରା ଦିନ ମଧ୍ୟାହ୍ନ  ପରେ ବର୍ଷା ବଢ଼ିବ। ୩ ତାରିଖରେ  ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।