ଭୁବନେଶ୍ୱର ୧୯।୧୦ : ଆସନ୍ତା ୨୧ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ୨୩ ତାରିଖ ବେଳକୁ ଅବପାତ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଏହା ଅଧିକ ଘନୀଭୂତ ହେବନି। ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ। ଉପକୂଳ ଛୁଇଁବା ପୂର୍ବରୁ ଅବପାତ ଦୁର୍ବଳ ହୋଇଯିବ ବୋଲି ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ଅବପାତ ପ୍ରଭାବରେ ରାଜ୍ୟରେ ୨୪ ତାରିଖରୁ ମଧ୍ୟମରୁ ଭାରୀ ବର୍ଷା ହେବ।

୨୪ ତାରିଖରେ ଖୋର୍ଦ୍ଧା ସମେତ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସଂଲଗ୍ନ ଜିଲ୍ଲାରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ। କିଛି ସ୍ଥାନରେ ଭାରୀ ବର୍ଷା ଆଶଙ୍କା ଅଛି। ଉପକୂଳ ସଂଲଗ୍ନ ଅଞ୍ଚଳରେ ସବୁଠୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି। କିଛି ମଡେଲର ଆକଳନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଅବପାତ ଅଧିକ ଘନୀଭୂତ ହୋଇପାରେ। କିନ୍ତୁ ଓଡ଼ିଶା ପାଇଁ କୌଣସି ବାତ୍ୟା ପୂର୍ବାନୁମାନ ଦିଆଯାଇନି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ରବିବାର ଉପକୂଳ ଜିଲ୍ଲାରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ। ୨୦ ଓ ୨୧ ତାରିଖ ପାଗ ଶୁଖିଲା ରହିବ । ୨୨ ଓ ୨୩ ତାରିଖ ବିକ୍ଷିପ୍ତ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ୨୪ରୁ ୨୬ ତାରିଖ ମଧ୍ୟମରୁ ଭାରୀ ବର୍ଷା ହେବ ବୋଲି ସେ କହିଛନ୍ତି। ୨୦ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପରେ ୨୧ରେ ଏହା ଲଘୁଚାପ ରୂପ ନେବ। ୨୨ ତାରିଖ ସୁଦ୍ଧା ଏହା ଅବପାତ ଓ ୨୪ ସକାଳ ସୁଦ୍ଧା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଛୁଇଁବ। ସେତେବେଳକୁ ଏହା ଦୁର୍ବଳ ହୋଇ ସାରିଥିବ। ସେହି ଦୁର୍ବଳ ଘୂର୍ଣ୍ଣିବଳୟ ଅବସ୍ଥାରେ ଏହା ଆନ୍ଧ୍ର ଓଡ଼ିଶା ଉପକୂଳଠାରୁ ଦୂରରେ ରହିବ।

କିନ୍ତୁ ଓଡ଼ିଶାକୁ ପବନ ବା ବାତ୍ୟାର କୌଣସି ଭୟ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । କିଛି ମଡେଲ ବାୟୁମଣ୍ଡଳର ଆର୍ଦ୍ରତା, ଉପର ବାୟୁମଣ୍ଡଳରେ ବାୟୁ ବିଚ୍ଛୁରଣ ଓ ସିଷ୍ଟମ ଷ୍ଟ୍ରକଚର ଗଠନକୁ ନେଇ ବାତ୍ୟା ଆକଳନ କରିଛନ୍ତି। କିନ୍ତୁ ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ। ମେଡେନ ଜୁଲିଅନ ଓସିଲେସନ (ଏମଜେଓ)ର ଚତୁର୍ଥ ପର୍ଯ୍ୟାୟ ଏହି ମାସ ୨୮ ତାରିଖ ସୁଦ୍ଧା ସରିଯିବ। ଏଣୁ କୌଣସି ମେଘ ଗଠନ ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବନି। କିନ୍ତୁ ସମୁଦ୍ର ଓ ବାୟୁମଣ୍ଡଳରେ କିପରି ପରିବର୍ତ୍ତନ ହେବାକୁ ଯାଉଛି, ତାକୁ ଅନୁଶୀଳନ କରିବା ପରେ ଆଗାମୀ ପୂର୍ବାନୁମାନ କରାଯିବ ବୋଲି ସେ କହିଛନ୍ତି ।