News7 Logo

GST ସଂଶୋଧନ ପରେ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି, ସେପ୍ଟେମ୍ବର ୨୨ରୁ କରିବାକୁ ହେବ ଏହି କାମ

NEWS7
Shop

ନୂଆଦିଲ୍ଲୀ ୧୭।୯: ସରକାର ଏ କଥାକୁ ନେଇ ସମ୍ପୂର୍ଣ୍ଣ ଆଶ୍ୱସ୍ଥ ହେବାକୁ ଚାହାନ୍ତି ଯେ ଜିଏସଟି ସଂଶୋଧନର ଲାଭ ଜନତାଙ୍କୁ ସମ୍ପୂର୍ଣ୍ଣ ମିଳୁ। ତେଲ, ସାମ୍ପୁ ଓ ସାବୁନ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରୁ ଆରମ୍ଭ କରି ଔଷଧ ଦୋକାନୀ ଆଗାମୀ ସେପ୍ଟେମ୍ବର ୨୨ ତାରିଖରୁ ସେହି ସବୁ ସାମଗ୍ରୀର ମୂ୍ଲ୍ୟ ଦୋକାନ ବାହାରେ ଲେଖିବାକୁ ହେବ ଯାହା ଜିଏସଟି ଟିକସ ହ୍ରାସରେ କମିଛି। ଗତ ସେପ୍ଟେମ୍ବର ୩ ତାରିଖ ଦିନ ଜିଏସଟି କାଉନସିଲର ୫୬ତମ ବୈଠକରେ ୪୦୦ରୁ ଅଧିକ ଆଇଟମର ଜିଏସଟି ହାର ସଂଶୋଧନ କରାଯାଇଛି।

ପ୍ୟାକେଜ ଫୁଡ, ସାବୁନ ଓ ସାମ୍ପୁ ଭଳି ଆଇଟମ ଉପରେ ଜିଏସଟି ହାର ହ୍ରାସ ଯୋଗୁ ଏ ସବୁର ମୂଲ୍ୟ କମିଯିବ। ହେଲେ ପୂର୍ବର ବଳକା ମାଲ ଉପରେ ଖୁଚୁରା ଦର ପରିବର୍ତ୍ତନ ଏତେ କମ ସମୟରେ ହୋଇ ପାରିବ ନାହିଁ। ଏଣୁ ସରକାର ସବୁ ନିର୍ମାତାମାନଙ୍କୁ ୨୨ ସେପ୍ଟେମ୍ବର ପୂର୍ବରୁ ବିଜ୍ଞାପନ ମାଧ୍ୟମରେ ନୂଆ ଦର ତାଲିକା ଦୋକାନୀମାନଙ୍କୁ ପଠେଇ ଦିଅନ୍ତୁ। ଏହା ଦ୍ୱାରା କେଉଁ ସବୁ ସାମଗ୍ରୀର ଦର କମିଛି ଗ୍ରାହକ ଜାଣି ପାରିବେ। ସେହିପରି ଔଷଧ ବିକ୍ରେତାମାନଙ୍କୁ ମଧ୍ୟ ଯେଉଁ ସବୁ ଔଷଧର ଜିଏସଟି ଦର ହ୍ରାସ ହୋଇଛି ସେ ସବୁର ଖୁଚୁରା ମୂଲ୍ୟ ଦୋକାନ ବାହାରେ ପ୍ରଦର୍ଶିତ କରନ୍ତୁ।

ଅର୍ଥମନ୍ତ୍ରାଳୟ ପକ୍ଷରୁ ଜିଏସଟିର ନୂଆ ହାର ନେଇ ସ୍ପଷ୍ଟିକରଣ ଜାରି କରାଯାଇଛି। ଏଥିରେ ସେପ୍ଟେମ୍ବର ୨୨ ତାରିଖରୁ ହୋଟେଲମାନଙ୍କରେ ଦୈନିକ ୭୫୦୦ ବା ଏହାଠୁ କମ୍‌ ଭଡ଼ାର କୋଠରୀ ଉପରେ ମାତ୍ର ୫% ଜିଏସଟି ଲାଗିବ। ସେହିପରି କୋଠରୀ ଉପରେ ହୋଟେଲ ମାଲିକ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାବି କରିପାରିବେ ନାହିଁ। ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଏପରି କୌଣସି ବିକଳ୍ପ ନାହିଁ। ଏଣୁ ହୋଟେଲ ମାଲିକ ୫% ଜିଏସଟି ଲାଗୁ କରିବେ।

ସେହିପରି ସୌନ୍ଧର୍ଯ୍ୟ ଓ ଶାରୀରିକ ପ୍ରସାଧନ ସେବା (ଜିମ ଆଦି) ଉପରେ ୫% ଜିଏସଟି ଲାଗୁ ହେବ ଓ ଏହି ସେବା ଲାଗି ଆଇଟିସି ସହିତ ୧୮% ଜିଏସଟି ସୁବିଧା ଉପଲବ୍ଧ ହେବ ନାହିଁ। ସରକାର ପୁଣି ଥରେ ଦୋହରାଇଛନ୍ତି ଯେ ବ୍ୟକ୍ତିଗତ ରୂପେ କ୍ରୟ କରାଯାଉଥିବା ହେଲଥ୍ ଓ ଲାଇଫ ଇନସ୍ୟୁରାନ୍ସକୁ ସମ୍ପୂର୍ଣ୍ଣ ଜିଏସଟି ମୁକ୍ତ କରିଦିଆଯାଇଛି ଓ ଏହା ଉପରେ କୌଣସି ପ୍ରକାରର ଜିଏସଟି ଲାଗୁ ହେବ ନାହିଁ।