ନୂଆଦିଲ୍ଲୀ ୬।୧୦: ସିପିଆଇ (ଏମଏଲ) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ସୋମବାର ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣାକୁ ‘କୋର୍ଟଙ୍କ ଅବମାନନା’ ବୋଲି କହିଛନ୍ତି। ଭଟ୍ଟାଚାର୍ଯ୍ୟ ଏକ ବୟାନରେ କହିଛନ୍ତି ଯେ ଉଚ୍ଚତମ ନ୍ୟାୟାଳୟ ବିହାରରେ ଭୋଟରଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟା ବିରୋଧରେ ରୁଜୁ ଆବେଦନର ଚୂଡ଼ାନ୍ତ ଶୁଣାଣି ନିମନ୍ତେ ଅକ୍ଟୋବର ୭ ତାରିଖ ଧାର୍ଯ୍ୟ କରିଥିଲେ। ତେବେ ନିର୍ବାଚନ ଆୟୋଗ ଏହା ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନ ଘୋଷଣା କରିଦେଇଛନ୍ତି।

ଭଟ୍ଟାଚାର୍ଯ୍ୟ ଏହାକୁ ଅଗଣତାନ୍ତ୍ରିକ କାର୍ଯ୍ୟ ଓ ଉଚ୍ଚତମ ନ୍ୟାୟାଳୟର ଅବମାନନା ବୋଲି କହିଛନ୍ତି।ମୁଖ୍ୟ ନିର୍ବାଚନ କମିଶନ ସୋମବାର ଦିଲ୍ଲୀରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ସେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ବୋଲି ଘୋଷଣା କରିଥିବା ବେଳେ ନଭେମ୍ବର ୧୪ ତାରିଖରେ ଭୋଟ ଗଣନା ହେବ ବୋଲି କହିଛନ୍ତି। ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସିପିଆଇ(ଏମଏଲ) ବିହାର ଭୋଟରଲିଷ୍ଟ ଏସଆଇଆର ପ୍ରକ୍ରିୟାରେ କଥିତ ହେରଫେର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା। ଏଥିରେ ପ୍ରତି ୧୦ଟି ନାମରୁ ୫ଟିକୁ ହଟାଇବାକୁ ଉଦ୍ୟମ କରାଯାଇଥିବା ସେ କହିଛନ୍ତି।

ଭଟ୍ଟଚାର୍ଯ୍ୟ କହିଛନ୍ତି ଯେ ଆମେ ସଡ଼କରୁ ସଂସଦ ଓ କୋର୍ଟ ପର୍ଯ୍ୟନ୍ତ ଏହି ଲଢେଇ ଲଢିଛୁ ଓ ଏହି ସଂଘର୍ଷ ଜାରି ରହିବ। ସେହିପରି ଭଟ୍ଟାଚାର୍ଯ୍ୟ ରାଜ୍ୟର ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ ପିଛିଲା ୨୦ ବର୍ଷ ଧରି ବିହାରରେ ନୋଟ୍ ଚୋରି, ଭୋଟ ଚୋରି, ସଂରକ୍ଷଣ ଚୋରି ଓ ଜମି ଜବରଦଖଲ ଭଳି ଗତିବିଦ୍ଧି ଜାରି ରହିଛି। ଏବେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଶାସକ ଦଳ ଜନତାଙ୍କୁ ଲାଞ୍ଚ ଦେଇ ପୁଣି କ୍ଷମତାକୁ ଫେରିବାକୁ ଷଡଯନ୍ତ୍ର କରୁଛନ୍ତି। ସେ କହିଛନ୍ତି ଯେ ବିହାରର ଜନତା ଶାସକ ଦଳଙ୍କ ଏହି ଷଡ଼ଯନ୍ତ୍ରକୁ ବିଫଳ କରିବେ ଓ ମୋଦି-ନିତିଶ ଡବଲ ଇଞ୍ଜିନ ସରକାରକୁ କ୍ଷମତାରୁ ତଡିବେ।