ବୌଦ୍ଧ ୦୪।୧୧ : ଦାଦନ ଖଟିବାକୁ କେରଳ ଗଲା ଭେଣ୍ଡିଆ ପୁଅ । ବାପା-ମାଆ ଆଶା ରଖିଥିଲେ ପୁଅ କିଛି ରୋଜଗାର କରି ଘରକୁ ପଇସା ପଠାଇବ । ଆଉ ସେହି ପଇସାରେ ଘର ଚଳିବ । ଦୁଇ ବର୍ଷ ଧରି ସବୁ ଠିକ୍‌ ଠାକ୍‌ ଚାଲିଥିଲା । ହେଲେ ହଠାତ୍‌ ମଙ୍ଗଳବାର ସକାଳୁ ଆସିଛି ଏକ ଦୁଃଖଦ ଖବର । କମ୍ପାନୀ ପରିସରରେ ପୁଅ ଆତ୍ମହତ୍ୟା କରିଥିବା ଖବର ପରିବାରକୁ ଆସିଛି । ଯାହାକୁ ଶୁଣି ପୁରା ପରିବାର ଲୋକ ହତବାକ୍‌ ହୋଇଯାଇଛନ୍ତି ।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସମ୍ବଲପୁର ଗାଁର ଅଚ୍ୟୁତ ନାଏକଙ୍କ ପୁଅ ଅନିଲ ନାଏକ କେରଳ ଭାଡକୁମୁରି ଜିଲ୍ଲାର ଏକ ଆଥିରା ନାମକ ପ୍ଲାଏଉଡ୍‌ କମ୍ପାନୀରେ ଦୀର୍ଘ ଦୁଇ ବର୍ଷ ହେଲା କାମ କରୁଥିଲେ। ସୋମବାର ବିଳମ୍ବିତ ରାତିରେ କମ୍ପାନୀ ପରିସରରେ ନିଜ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ପାଖକୁ ଖବର ଆସିଥିଲା । ପରେ ପରିବାର ଲୋକ ପୁଅର ଏଭଳି ଦୁଃଖଦ ଖବର ଶୁଣି ହତବାକ୍‌ ହୋଇଯାଇଥିଲେ । କେରଳରୁ ନିଜ ପୁଅର ମୃତଦେହ କିପରି ଆଣିବେ, ସେନେଇ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି ପରିବାର ଲୋକ । ସେପଟେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଯେ, ଆମେ କମ୍ପାନୀ ସହିତ ଯୋଗାଯୋଗରେ ଅଛୁ । ମଙ୍ଗଳବାର ଦିନ ବିମାନ ଯୋଗେ ତାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ସଂଧ୍ୟା ସମୟରେ ପହଞ୍ଚିବ । ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ବାସଭବନକୁ ମୃତଦେହ ପଞ୍ଚାଯିବାର ବ୍ୟବସ୍ଥା କରାଯାଇଛି ।