News7 Logo

ଉତ୍ତେଜନା ମଧ୍ୟରେ ଆମେରିକାରୁ ଭାରତକୁ ଝଟକା, ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଅଧିକାରୀଙ୍କ ଭିସା ରଦ୍ଦ

NEWS7
drug smuggling case

ନୂଆଦିଲ୍ଲୀ : ଟାରିଫ୍‌ ଓ ରୁଷ୍‌ରୁ ତୈଳ ଆମଦାନୀକୁ ନେଇ ଚାଲୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଭାରତ ଉପରେ ଆଉ ଏକ ଆକ୍ସନ ନେଇଛି। ଭାରତର କିଛି ଉଚ୍ଚ ଅଧିକାରୀଙ୍କ ଭିସାକୁ ଆମେରିକା ରଦ୍ଦ କରି ଦେଇଛି। ଅଧିକାରୀଙ୍କ ଉପରେ ଆମେରିକାରେ ନିଷିଦ୍ଧ ଡ୍ରଗ୍ସ ଫେଣ୍ଟେନାଇଲ ପ୍ରିକର୍ସରର ତସ୍କରୀରେ ସାମିଲ ହେବାର ଅଭିଯୋଗ କରିଛି। ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସ ଗୁରୁବାର ଘୋଷଣା କରିଛି ଯେ, ସେ କିଛି ଭାରତୀୟ ବ୍ୟବସାୟିକ ଅଧିକାରୀ ଓ କର୍ପୋରେଟ୍‌ ନେତୃତ୍ୱର ଭିସା କ୍ୟାନସେଲ କରି ଦେଇଛି।

ଏହି ପଦକ୍ଷେପ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବଡ଼ ସ୍ତରରେ ଡ୍ରଗ୍ସର ତସ୍କରୀ ଓ ନିଶାଦ୍ରବ୍ୟ ଉତ୍ପାଦନ କରୁଥିବା ଦେଶ ଗୁଡ଼ିକୁ ଚେତାବନୀ ଦିଆଯିବାର କିଛି ହିଁ ଘଣ୍ଟା ପରେ ଉଠାଯାଇଛି। ଭାରତ ସେହି ୨୩ ଦେଶ ଗୁଡ଼ିକରେ ସାମିଲ ଥିଲା , ଯାହା ଉପରେ ଆମେରିକା କହିଥିଲା ଯେ, ସେ ଏହି ସମ୍ୱନ୍ଧରେ ନଜର ରଖୁଛି। ଆମେରିକୀୟ ଦୂତାବାସ କହିଛି ଯେ, କିଛି ଭାରତୀୟ କମ୍ପାନୀଙ୍କ ଅଧିକାରୀଙ୍କ ଭିସା ରଦ୍ଦ କରିବା ଆମେରିକୀୟଙ୍କୁ ବିପଜ୍ଜନକ ସିନ୍ଥେଟିକ ନିଶାଦ୍ରବ୍ୟର ବିପଦରୁ ରକ୍ଷା କରିବାର ୱାଂଶିଟନର ବ୍ୟାପକ ପ୍ରୟାସର ଅଂଶ।

ନୂଆାଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସ ଏକ ବିଜ୍ଞପ୍ତିରେ କହିଛି , ଏହି ନିଷ୍ପତ୍ତିର ପରିଣାମସ୍ୱରୂପ, ଏହି ବ୍ୟକ୍ତି ଓ ତାଙ୍କର ନିକଟତର ପରିବାରର ସଦସ୍ୟ ଆମେରିକାର ଯାତ୍ରା ପାଇଁ ଅଯୋଗ୍ୟ ହୋଇପାରେ। ଯେଉଁ କମ୍ପାନୀ ଗୁଡ଼ିକର କାର୍ଯ୍ୟନିର୍ବାହୀମାନେ ଫେଣ୍ଟେନାଇଲ ପୂର୍ବବର୍ତ୍ତୀ ଚାଲାଣ କରିଥିବା ଜଣାଶୁଣା, ସେମାନଙ୍କୁ ମଧ୍ୟ ଆମେରିକାକୁ ଭିସା ପାଇଁ ଆବେଦନ କରିବା ସମୟରେ ଦୂତାବାସ ଦ୍ୱାରା ଚିହ୍ନଟ କରାଯିବ। ଫେଣ୍ଟାନାଇଲ୍‌ ଓ ଅବୈଧ ନିଶା କାରବାରରେ ବିପଦ ପ୍ରତି ଦୃଷ୍ଟି ଆକର୍ଷଣ କରି, ଆମେରିକୀୟ ଦୂତାବାସ ମଧ୍ୟ ଏହାର ମୁକାବିଲାରେ ଭାରତ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛି।

ଦୂତାବାସ ଚାର୍ଜ ଡି’ ଆଫେୟର୍ସ ଜୋର୍ଗେନ୍‌ ଆଣ୍ଡ୍ରଜଙ୍କୁ ଉଦ୍ଧୃତ କରି କହିଛି , ଆମେରିକାରେ ନିଶାଦ୍ରବ୍ୟର ଅବୈଧ ଉତ୍ପାଦନ ଓ ତସ୍କରୀରେ ସାମିଲ ବ୍ୟକ୍ତି ଓ ସଙ୍ଗଠନକୁ , ତାଙ୍କ ପରିବାର ସହ , ଏମିତି ପରିଣାମ ଭୋଗିବାକୁ ହେବ , ଯେଉଁଥିରେ ଆମେରିକାରେ ପ୍ରବେଶରେ ବଞ୍ଚିତ ହେବା ମଧ୍ୟ ସାମିଲ ହୋଇପାରେ। ଚଳିତ ବର୍ଷର ଆରମ୍ଭରେ, ଆମେରିକା ଚୀନ୍‌ ଓ ଭାରତକୁ ଅବୈଧ ଫେଣ୍ଟେନାଇଲ୍ ପ୍ରିକର୍ସର ରାସାୟନିକ ପଦାର୍ଥ ଓ ବଟିକା ତିଆରି କରୁଥିବା ଉପକରଣର ପ୍ରାଥମିକ ସୋର୍ସ କହି ଥିଲେ। ମାର୍ଚ୍ଚରେ, ୱାଂଶିଟନ ଡିସିର ଏକ ଫେଡେରାଲ କୋର୍ଟରେ ,ଭାରତ ସ୍ଥିତ ଏକ ରସାୟନ ନିର୍ମାତା କମ୍ପାନୀର ତିନି ଜଣ କର୍ମଚାରୀଙ୍କ ଉପରେ ଫେଣ୍ଟେନାଇଲ ଉତ୍ପାଦନରେ ବ୍ୟବହୃତ ହେଉଥିବା ପ୍ରୀକର୍ସର ରସାୟନ ଗୁଡ଼ିକର, କଥିତ ଅବୈଧ ଆମଦାନୀ ପାଇଁ ଅଭିଯୁକ୍ତ କରାଯାଇ ଥିଲା।