ଭୁବନେଶ୍ୱର ୦୩।୧୧: ନୂଆପଡ଼ା ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିପାରେ ଶକ୍ତ ଝଟ୍‌କା । ଶଙ୍ଖ ଶିବିର ଛାଡି ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବିଜେଡିର ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସାମିଲ ହୋଇପାରନ୍ତି ଅମର ପଟ୍ଟନାୟକ ।

୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ବିଜେଡି ତାଙ୍କୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ କାମ କରିଚାଲିଥିଲେ । ଯାହାର ଫଳସୂରୁପ ତାଙ୍କୁ ୨୦୧୯ ମସିହାରେ ଦଳ ରାଜ୍ୟସଭା ସାଂସଦ ଚୟନ କରିଥିଲା । ଆଉ ୨୦୧୯ରୁ ପାଞ୍ଚ ବର୍ଷ ଯାଏଁ ସେ ରାଜ୍ୟସଭାରେ ସଦସ୍ୟ ଭାବେ କାମ କରିଥିଲେ । ଏହାସହିତ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟସଭାର ବିଭିନ୍ନ କମିଟିର ମଧ୍ୟ ସଦସ୍ୟ ହୋଇଥିଲେ । ରାଜ୍ୟର ବିଭିନ୍ନ ତଥ୍ୟକୁ ସଂସଦରେ ଶାଣିତ ସ୍ୱରରେ ବିରୋଧୀଙ୍କୁ ଟାର୍ଗେଟ କରୁଥିଲେ । ଏହାସହ ସେତେବେଳେ ରାଜ୍ୟରେ ମଧ୍ୟ ବିରୋଧୀଙ୍କୁ କଡା ଟକ୍କର ଦେଉଥିଲେ । ହେଲେ ଏବେ ପରିସ୍ଥିତି ବଦଳିଥିବାର ଆଭାସ ମିଳୁଛି। ରାଜ୍ୟ ରାଜନୀତିରେ ନୂଆ କଥାର ଚର୍ଚ୍ଚା ଜୋର ଧରିଛି । କୁଆଡେ ବିଜେଡି ଦଳକୁ ଛାଡିପାରନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ତାହା ପୁଣି ନୂଆପଡ଼ା ଉପନିର୍ବାଚନ ପୂର୍ବରୁ । ନୂଆପଡ଼ା ଉପନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଅମର ପଟ୍ଟନାୟକ ବିଜେପିରେ ସାମିଲ ହୋଇପାରନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ଅମର ପଟ୍ଟନାୟକ । ଏହି ସମୟରେ ରାଜ୍ୟ ବିଜେପି ସଭାପତି ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିପାରନ୍ତି । ସେହିପରି ନୂଆପଡ଼ା କିଛି ନେତା ମଧ୍ୟ ବିଜେପିରେ ହୋଇପାରନ୍ତି ସାମିଲ । ​​​​​​​

​​​​​​​