ନୂଆଦିଲ୍ଲୀ: ନେପାଳର ପରିସ୍ଥିତି ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ଚେତାବନୀ ଦେଲେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ଯଦି ଦେଶରେ ଏଭଳି ଭୋଟ ଚୋରି ଜାରି ରହିଲା ତେବେ ନେପାଳ ଭଳି ଅବସ୍ଥା ଭାରତରେ ହେବ ବୋଲି ଅଖିଳେଶ କହିଛନ୍ତି। ଶୁକ୍ରବାର ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଅଖିଳେଶ କହିଛନ୍ତି ଯଦି ଏପରି ଭୋଟ ଚୋରି ଜାରି ରହିବ, ତେବେ ପଡ଼ୋଶୀ ଦେଶଗୁଡ଼ିକର ରାସ୍ତାରେ ଯେଉଁଭଳି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏଠାରେ ମଧ୍ୟ ଦେଖାଯାଇପାରେ।

ନେପାଳରେ କେପି ଶର୍ମା ଓଲିଙ୍କର ଦୁର୍ନୀତିକୁ ନେଇ ସେଠାକାର ଜେନ୍ ଜି (ଜିରୋ ଜେନେରେସ, ୨୦୦୦ ମସିହା ପରେ ଜନ୍ମିତ) ତୀବ୍ର ଆନ୍ଦୋଳନ କରିଥିଲେ। ଏଥିରେ ଓଲି ସରକାର କ୍ଷମତାଚ୍ୟୁତ ହେବା ସହିତ ମନ୍ତ୍ରୀମାନଙ୍କୁ ଅସନ୍ତୋଷ ଜନତାଙ୍କ ଠାରୁ ମାଡ଼ ଖାଇବାକୁ ପଡ଼ିଥିଲା। ଘଟଣାରେ ୫୦ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।

ରାଷ୍ଟ୍ରପତି ଭବନ ଠାରୁ ଆମ୍ଭ କରି ନେପାଳୀ ସଂସଦ, ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀଙ୍କ ଘର ସବୁଠାରେ ନିଆଁ ଲଗାଇଥିଲେ ଆନ୍ଦୋଳନକାରୀ। ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ସେଠାରେ ବର୍ତ୍ତମାନ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସୁଶିଲା କର୍କି ଅନ୍ତରୀଣ ସରକାର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି।

ନେପାଳ ବ୍ୟତୀତ, ଭାରତର ପଡ଼ୋଶୀ ଆଫଗାନିସ୍ତାନ, ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାର ଏବଂ ବାଂଲାଦେଶରେ ଗତ କିଛି ବର୍ଷ ମଧ୍ୟରେ ସମାନ ପ୍ରତିବାଦ ଦେଖା ଦେଇଥିଲା। ଏବଂ ଶାସନ ପରିବର୍ତ୍ତନ ହୋଇଥିଲା। ତେଣୁ ବିଦେଶ ଶକ୍ତି ଭାରତରେ ବି ସେଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବିରୋଧୀ ଦଳର ନେତାମାନେ ମଧ୍ୟ ଏଭଳି ସ୍ଥିତି ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ବାରମ୍ବାର ଧମକ ଦେଉଛନ୍ତି।

ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଯାଦବ କହିଛନ୍ତି, "ସୁପ୍ରିମ କୋର୍ଟ ସମୟ ସମୟରେ ନିର୍ଦ୍ଦେଶ ଦେଇଛନ୍ତି। ଆମର ବିଶ୍ୱାସ ଯେ ନିର୍ବାଚନ କମିଶନ ସେମାନଙ୍କ ନିର୍ଦ୍ଦେଶ ପାଳନ କରିବେ। ଏହା ବିଜେପିର ଅସ୍ଥାୟୀ କମିଶନ ହେବ ନାହିଁ। ନିରପେକ୍ଷ ନିର୍ବାଚନ ପରିଚାଳନା ଏକ ଦାୟିତ୍ୱ।"