ତେହେରାନ: ଇରାନ ରାଜଧାନୀ ତେହେରାନର ମୁଖ୍ୟ ଏୟାରପୋର୍ଟକୁ ପୁଣି ଖୋଲି ଦିଆଯାଇଛି। ୨୦ ଏପ୍ରିଲ ସୋମବାର ଇମାମ ଖୁମେନୀ ଇଣ୍ଟରନ୍ୟାଲନାଲ ଏୟାରପୋର୍ଟ ଓ ମେହରାବାଦ ଏୟାରପୋର୍ଟରେ ପାସେଞ୍ଜର ଫ୍ଲାଇଟ୍ କୁ ଅନୁମତି ଦିଆଯାଇଛି। ଇରାନ ଏଭିଏସନ ଅଥରିଟି କହିଛନ୍ତି ଯେ ଆମେରିକା ଓ ଇସ୍ରାଏଲ ସହିତ ସପ୍ତାହବ୍ୟାପୀ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏୟାରପୋର୍ଟ ବନ୍ଦ ରହିବା ପରେ ଇରାନ ପୁଣି ପ୍ରମୁଖ ଏୟାରପୋର୍ଟ ଗୁଡିକୁ ସଞ୍ଚାଳନ ଆରମ୍ଭ କରିଛି।

ଆଇଏସଏନଏ ନ୍ୟୁଜ୍ ଏଜେନ୍ସୀ ଅନୁସାରେ ସିଭିଲ ଏଭିଏସନ ଅର୍ଗାନାଇଜେସନ ଏକ ବୟାନରେ କହିଛି ଯେ ଇମାମ ଖୁମେନି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଓ ମେହରାବାଦ ଏୟାରପୋର୍ଟ ପାସେଞ୍ଜର ଫ୍ଲାଇଟ୍ ପାଇଁ ଅନୁମତି ଦେଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଓ ଇସ୍ରାଏଲ ଫେବୃଆରୀ ୨୮ ତାରିଖରେ ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ କରିଥିଲେ। ଏହା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଯାଇଥିଲା। ଏହି ଆକ୍ରମଣ ପରେ ଇରାନ ନିଜର ଏୟାରସ୍ପେସ୍ ମଧ୍ୟ ବନ୍ଦ କରିଦେଇଥିଲା।

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ ଯୋଗୁ ପୁଣି ଏୟାରପୋର୍ଟ ସଞ୍ଚାଳନ ଆରମ୍ଭ ହୋଇଛି। ଏକ ମାସରୁ ଅଧିକ ସମୟ ପରେ ପୁଣି ଇରାନ ଏୟାରପୋର୍ଟମାନଙ୍କରେ ଯାତ୍ରୀଙ୍କ ଗହଳଚହଳ ଆରମ୍ଭ ହୋଇଛି। ଲୋକେ ବିଭିନ୍ନ ଗନ୍ତବ୍ୟରେ ଯିବା ପାଇଁ ଏୟାରପୋର୍ଟକୁ ପହଞ୍ଚୁଛନ୍ତି। ଏହା ପୂର୍ବରୁ ଇରାନ ତାର ଏୟାରସ୍ପେସ୍ ଖୋଲିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ପୂର୍ବାଞ୍ଚଳ ଏୟାରସ୍ପେସ୍ ଅନ୍ତର୍ଜାତୀୟ ଉଡାଣ ନିମନ୍ତେ ଖୋଲା ଯାଇଥିଲା। ଏବେ ପରିସ୍ଥିତି ସ୍ୱଭାବିକ ହେବା ପରେ ଏୟାରପୋର୍ଟ ମଧ୍ୟ ଖୋଲି ଦିଆଯାଇଛି।