ନୂଆଦିଲ୍ଲୀ ୧୩।୯: ଭାରତୀୟ ବାୟୁସେନା ରକ୍ଷା ମନ୍ତ୍ରାଳୟକୁ ୧୧୪ ନୂଆ ରାଫେଲ ଯୁଦ୍ଧ ବିମାନ କିଣିବାକୁ ଅଧିକାରୀକ ପ୍ରସ୍ତାବ ପଠାଇଛି। ଏଥିରୁ ଭାରତୀୟ ବାୟୁସେନାର ଭରସା ଏବେ ଫ୍ରାନ୍ସର ରାଫେଲ ଉପରେ ଦୃଢ ହୋଇଥିବାର ପ୍ରମାଣିତ ହେଉଛି। ଯଦି ଏହି ଡିଲ ଚୂଡ଼ାନ୍ତ ହୁଏ ତେବେ ଏହା ବିଶ୍ୱର ସବୁଠୁ ବଡ଼ ପ୍ରତିରକ୍ଷା ଡିଲ ହେବ ବୋଲି କୁହାଯାଉଛି। ଏହି କ୍ରୟ ମିଡିୟମ ରୋଲ ଫାଇଟର ଏୟାରକ୍ରାଫ୍ଟ(ଏମଆରଏଫଏ) କାର୍ଯ୍ୟକ୍ରମରେ ହେବ, ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ କୋଟି ଟଙ୍କାରୁ ବି ଅଧିକ ହେବ।

୧୧୪ ଯୁଦ୍ଧବିମାନ କ୍ରୟ ନିମନ୍ତେ ବାୟୁସେନା ରକ୍ଷା ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇ ଦେଇଛି। ଏବେ ଏହା ଉପରେ ପ୍ରତିରକ୍ଷା ଓ ଅର୍ଥମନ୍ତ୍ରାଳୟ ସମେତ ଅନ୍ୟ ବିଭାଗ ବିଚାର କରିବେ। ଏହା ପରେ ଏହାକୁ ରକ୍ଷା କ୍ରୟ ବୋର୍ଡ (ଡିପିବି) ନିକଟକୁ ପହଞ୍ଚିବ। ଏହା ପରେ ଅଧିଗ୍ରହଣ ପରିଷଦ (ଡିଏସି) ଏହା ଉପରେ ବିଚାର କରିବା ପରେ ଔପଚାରିକ ଡିଲରେ ସ୍ୱାକ୍ଷର ହେବ। ଫରାସୀ କମ୍ପାନୀ ଡାସଲ୍ଟ ଏଭିଏସନ ରାଫେଲର ଆଡଭାନ୍ସ ଭାରିଆଣ୍ଟ  ଏଫ-୪ ଉପସ୍ଥାପନ କରିଛି।

ଏହାକୁ ‘ସୁପର ରାଫେଲ’ କୁହାଯାଇପାରେ। କାରଣ ଏଥିରେ ଉନ୍ନତ ରାଡାର, ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ ଓ ନେଟୱାର୍କ ସେଣ୍ଟ୍ରିକ୍ ୱାରଫେୟାର କ୍ଷମତା ରହିଛି। ଏଥିରେ ସାଟେଲାଇଟ୍ କମ୍ୟୁନିକେସନ ଓ ନୂଆ ୱିପନ ସିଷ୍ଟମ ଯୋଡା ଯାଇଛି। ଏହାକୁ ପଞ୍ଚମ ପିଢୀର ଫାଇଟର ଜେଟ୍ ପାଖାପାଖି ବିଚାର କରାଯାଉଛି ହେଲେ ଏହା ସମ୍ପୂର୍ଣ୍ଣ ‘ଷ୍ଟିଲଥ୍’ ଟେକ୍ନିକର ନୁହେଁ। ଏଫ-୪ ଜେଟ୍ ରୁ ଭାରତୀୟ ବାୟୁସେନାକୁ ୬-୭ଟି ନୂଆ ସ୍କ୍ୱାଡ୍ରନ ମିଳିଯାଇପାରେ। ଏବେ ଭାରତରେ ରାଫେଲର ମାତ୍ର ୨ଟି ସ୍କ୍ୱାଡ୍ରନ ରହିଛି।

ଭାରତ ୨୦୧୬ ମସିହାରେ ଫ୍ରାନ୍ସରୁ ୩୬ଟି ରାଫେଲ ଏଫ-୩ଆର କ୍ରୟ ନିମନ୍ତେ ପାଖାପାଖି ୫୯ ହଜାର କୋଟି ଟଙ୍କାର ଡିଲ କରିଥିଲା। ଏହି ଫାଇଟର ଜେଟ୍ ୨୦୨୦ ମସିହାରୁ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଭାରତ ନିମନ୍ତେ ଏଥିରେ ୧୩ଟି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି। ଚୀନ୍ ସହିତ ୨୦୨୦ ଲଦ୍ଦାଖ ବିବାଦ ସମୟରେ ରାଫେଲକୁ ମୁତୟନ କରାଯାଇଥିଲା। ଅପରେସନ ସିନ୍ଦୂର କାଳରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିବା ପାଇଁ ରାଫେଲକୁ ବ୍ୟବହାର କରାଯାଇଥିଲା। ଏହି ଅଭିଜ୍ଞତା ରାଫେଲର ବିଶ୍ୱସନୀୟତା ଓ କ୍ଷମତାକୁ ପ୍ରମାଣିତ କରିଛି।

ଯଦି ଭାରତ ଏଫ-୪ ରାଫେଲ କ୍ରୟ କରେ ତେବେ ଏହି ଆଡଭାନ୍ସ ଭାରିଏଣ୍ଟ ରଖିବାରେ ବିଶ୍ୱର ବଛାବଛା ଦେଶଙ୍କ ମଧ୍ୟରେ ଗଣାଯିବ। ଯଦି ଏହି ଡିଲ ହୁଏ ବାୟୁସେନାର ସଂଖ୍ୟା ଓ ଶକ୍ତି ବଢିବ। ଭାରତର ଏପରି ଫାଇଟର ଜେଟ୍ ହେବ ଯାହା ଆଗାମୀ କେତେ ଦଶନ୍ଧୀ ପର୍ଯ୍ୟନ୍ତ ଶତ୍ରୁଙ୍କ ଉପରେ ସ୍ପଷ୍ଟ ବୈଷୟିକ ଅଗ୍ରଣୀ  ହୋଇପାରିବ। ଚୀନ୍ ଓ ପାକିସ୍ତାନ ଲାଗି ଏହା ସବୁଠୁ ଦୃଢ ରଣନୈତିକ ବାର୍ତ୍ତା ମଧ୍ୟ ହେବ।