LIVE TV

ରାଜସ୍ଥାନରେ କଫ ସିରପ ଯୋଗୁ ପିଲାଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ, କାୟସନ୍ସ ଫାର୍ମା ଔଷଧ ଉପରେ ରୋକ୍

NEWS7
Cough syrup

ଜୟପୁର ୩।୧୦: ରାଜସ୍ଥାନରେ କଫ ସିରପ ଯୋଗୁ ପିଲାଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ କରିଛନ୍ତି। ନିଶୁଳ୍କ ଔଷଧ ଯୋଜନାରେ କାୟସନ୍ସ ଫାର୍ମାର ସବୁପ୍ରକାର ଔଷଧ ବିତରଣ ଉପରେ ସରକାର ରୋକ ଲଗାଇ ଦେଇଛନ୍ତି ଓ ରାଜସ୍ଥାନରେ ଜେନେରିକ କଫ ସିରପ ଯୋଗାଣକାରୀ କାୟସନ୍ସ ଫର୍ମାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ ସିରପ କାରଣରୁ ରାଜସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଓ ଜଣେ ଡାକ୍ତର ଅଚେତ ହେବା ଘଟଣା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ଏହି ସିରପ ରାଜ୍ୟରେ ମାଗଣା ଔଷଧ ଯୋଜନାରେ ଦିଆଯାଉଥିଲା। କାୟସନ୍ସ ଫାର୍ମାରୁ ପୂର୍ବରୁ ମଧ୍ୟ କଳାତାଲିକା ଭୁକ୍ତ ହୋଇଥିଲା। ତେବେ ଏବେକା ଘଟଣାକ୍ରମ ଭୟାବହ ଚିତ୍ର ଉପସ୍ଥାପନ କରୁଛି, କମ୍ପାନୀ ଯାଞ୍ଚ ପରିସରକୁ ଆସିବାର ଏହା ପ୍ରଥମ ଘଟଣା ନୁହେଁ। ୨୦୨୩ ମସିହାରେ କାୟସନ୍ସ ଫାର୍ମାର ଏକ ଔଷଧର କ୍ୱାଲିଟି ଠିକ ନଥିବାରୁ ଏହାକୁ ଅସ୍ୱୀକାର କରିଦିଆଯାଇଥିଲା। ଏହା ପରେ କମ୍ପାନୀକୁ ଔଷଧ ଯୋଗାଇ ଦେବାକୁ ଟେଣ୍ଡର କିପରି ମିଳିଲା ସେ ନେଇ ପ୍ରଶ୍ନ ଉଠୁଛି।

ଗତ ସୋମବାର ସିକରରେ ଏକ ୫ ବର୍ଷର ପିଲା ନିତିଶ କଫ ସିରପ ଯୋଗୁ ପ୍ରାଣ ହରାଇଥିଲା। ସେ କଫ ସିରପ ପିଇବା ପରେ ଶୋଇପଡିଥିଲା ଓ ଆଉ ଉଠି ନଥିଲା। ରାଜସ୍ଥାନରୁ ସଂଗ୍ରହ କରାଯାଇଥିବା ଔଷଧର ନମୁନା ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ସିରପ ତିଆରି କରୁଥିବା କମ୍ପାନୀର ମଧ୍ୟ ଯାଞ୍ଚ ହେଉଛି। ରାଜ୍ୟ ସରକାରଙ୍କ ମାଗଣା ଔଷଧ ଯୋଜନାରେ ଦିଆଯାଉଥିବା ଜେନେରିକ ସିରପ ଯୋଗାଣକାରୀ କମ୍ପାନୀ କାୟସନ୍ସ ଫାର୍ମାର ସବୁ ଉତ୍ପାଦ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।