ନୂଆଦିଲ୍ଲୀ: ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବଡ଼ ବିଜୟ ହାସଲ କରିଛି । ଏବିଭିପିର ଅଙ୍କିତ୍ ବିଧାନ ୫୦୦ ଭୋଟ୍ ବ୍ୟବଧାନରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବିଜୟ ସହିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ଇତିହାସରେ ପ୍ରଥମ ଥର ପାଇଁ ଛାତ୍ର ସଂଘ ନିର୍ବାଚନରେ ଏବିଭିପି ଲଗାତାର ଦ୍ୱିତୀୟ ଥର ପାଇଁ ଶୀର୍ଷ ପଦବୀ ଜିତିଛି । ଚଳିତ ବର୍ଷ, ସଭାପତି ପଦ ପାଇଁ ଚାରି ଜଣଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଉପାଧ୍ୟକ୍ଷ, ସଚିବ, ଯୁଗ୍ମ ସଚିବ ଏବଂ ବିଭାଗ ପ୍ରତିନିଧି (DRs) ପଦ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ନିର୍ବାଚନରେ ମୋଟ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ସଭାପତି ପଦ ପାଇଁ ୪ ଜଣ ପ୍ରାର୍ଥୀ ଥିଲେ । ଶୀର୍ଷ ପଦବୀ ପାଇଁ କଂଗ୍ରେସ ଛାତ୍ର ଶାଖା ଏନଏସୟୁଆଇର ଗୁରମନ ସିଂହ ସିଦ୍ଧୁ, ଆପ୍-ସମର୍ଥିତ ଏଏସଏପିର ଆଦିଲ ବୀର ସିଂହ, ଏବିଭିପିର ଅଙ୍କିତ ବିଧାନ ଏବଂ ସାଥର ଦର୍ଶପ୍ରୀତ ସିଂହଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ।

ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ପରେ ହୋଇଥିବା ପ୍ରଥମ ଛାତ୍ର ନିର୍ବାଚନରେ ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ବହୁ ସଂଖ୍ୟାରେ ଜେନ-ଜି ଭୋଟର୍ ଥିଲେ । ଏହି ନିର୍ବାଚନ ସମୟରେ ଜନ୍ତର ମନ୍ତର ପ୍ରଦର୍ଶନ ପ୍ରସଙ୍ଗ ବି ପ୍ରମୁଖ ସ୍ଥାନ ନେଇଥିଲା । ବିରୋଧୀ ଛାତ୍ର ସଂଗଠନ ନିର୍ବାଚନ ପ୍ରଚାର ସମୟରେ ଲଗାତାର ଜନ୍ତର ମନ୍ତର କଥା ଉଠାଇ ଏବିଭିପିକୁ ଘେରିବା ପାଇଁ ପ୍ରୟାସ କରାଯାଇଥିଲା । ଏହା ସତ୍ତ୍ୱେ ଅଧ୍ୟକ୍ଷ ପଦରେ ଏବିଭିପି ପ୍ରାର୍ଥୀ ଅଙ୍କିତ୍ ବିଧାନ ବିଜୟୀ ହୋଇଛନ୍ତି ।

ପଞ୍ଜାବ ବିଶ୍ୱବିଦ୍ୟାଳୟ ରାଜ୍ୟର ସମସ୍ତ ୨୩ ଜିଲ୍ଲାର ଯୁବକ ଯୁବତୀ ପାଠ ପଢିଥାନ୍ତି । କ୍ୟାମ୍ପସର ନିର୍ବାଚନୀ ମାହୋଲ ସ୍ପଷ୍ଟ ସଂକେତ ଦିଏ ଯେ ପଞ୍ଜାବର ଶିକ୍ଷିତ ଏବଂ ସଚେତନ ଯୁବପିଢ଼ି କେଉଁ ରାଜନୈତିକ ବିଚାରଧାରା ପ୍ରତି ଆକର୍ଷିତ । ତେଣୁ, ସମସ୍ତ ରାଜନୈତିକ ଦଳ ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ମାଧ୍ୟମରେ ସେମାନଙ୍କର ପ୍ରଭାବ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏହି ନିର୍ବାଚନ ଜରିଆରେ ନିଜ ନୀତି ଏବଂ ଯୁବପିଢିଙ୍କ ମଧ୍ୟରେ ସେମାନଙ୍କ ଯୋଜନାର ବାସ୍ତବସ୍ତା ମଧ୍ୟ ଯାଞ୍ଚ କରନ୍ତି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଞ୍ଜବ ରାଜନୀତିର ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।