ଗୋଟିଏ ଫୋନ କଲ ବଦଳାଇ ଦେଲା ପରିଣୀତିଙ୍କ କ୍ୟାରିଅର, ସାକ୍ଷାତକାରରେ ଅଭିନେତ୍ରୀ କଲେ ଖିଲାସା

Published By : Prameya-News7 Bureau | May 01, 2024 IST

ମୁମ୍ଵାଇ ୦୧।୦୫: ୨୦୧୧ର ଚଳଚ୍ଚିତ୍ର ‘ଲେଡିଜ୍‌ ଭର୍ସେସ୍‌ ରିକ୍କି ବହଲ୍‌’ରୁ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ଆଜିର ଜଣାଶୁଣା ଅଭିନେତ୍ରୀ ପରିଣୀତି ଚୋପ୍ରା । ଏହା ଭିତରେ ସେ ୧୩ ବର୍ଷ ବିତେଇ ସାରିଲେଣି ବଲିଉଡ୍‌ରେ । ବେଶ୍‌ ସଫଳତା ଓ ଖ୍ୟାତି ମଧ୍ୟ ଅର୍ଜନ କଲେଣି । ଶେଷଥର ପାଇଁ ପରିଣୀତି ‘ଅମର ସିଂହ ଚମ୍‌କିଲା’ରେ ଦେଖିବାକୁ ମିଳିଛନ୍ତି । ଇମ୍‌ତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ । ପରିଣୀତି ଆଜି ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଓ ଆଗଧାଡ଼ିର ଅଭିନେତ୍ରୀ । ହେଲେ ଏ ସ୍ଥାନରେ ପହଞ୍ଚିବାକୁ ଢେର୍‌ ପରିଶ୍ରମ କରିଛନ୍ତି ସେ। 

ଆକ୍ଟିଂକୁ ଆସିବା ପୂର୍ବରୁ ୟଶରାଜ ଫିଲ୍ମସ୍‌ରେ ଇଣ୍ଟର୍ନସିପ୍‌ କରୁଥିଲେ ପରିଣୀତି । ଏଇଠି ସେ ପ୍ରଡକ୍ସନ ଟିମ୍‌ର ମାର୍କେଟିଙ୍ଗ୍‌ ଓ ପିଆର୍‌ ଡିପାର୍ଟମେଣ୍ଟରେ କାମ କରୁଥିଲେ । ରାଣୀ ମୁଖାର୍ଜୀ, ଅନୁଷ୍କା ଶର୍ମା ଓ ରଣବୀର ସିଂହଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟିଙ୍କ ପ୍ରମୋସ୍‌ନାଲ କାମ ଦେଖୁଥିଲେ । କେବଳ ସେତିକି ନୁହେଁ, ଏହି ତାରକାମାନଙ୍କର ସାକ୍ଷାତକାର ମଧ୍ୟ ଚୂଡ଼ାନ୍ତ କରାଉଥିଲେ । କେବଳ ଏତିକି ନୁହେଁ, ଏହି କଳାକାରଙ୍କ ପାଇଁ ସେ କଫି ମଧ୍ୟ ମଗାଉଥିଲେ । ଅଳ୍ପ ଦିନ ତଳେ ଏକ ସାକ୍ଷାତକାରରେ ଏକଥା କହିଛନ୍ତି ପରିଣୀତି । ସାକ୍ଷାତକାରରେ ପରିଣୀତି କହିଥିଲେ, ସେ ରାଣୀ ମୁଖାର୍ଜୀଙ୍କ ପାଇଁ ‘ଦିଲ୍‌ ବୋଲେ ହଡିପ୍ପା’, ଦୀପିକା ପାଦୁକୋନ ଓ ନୀଲ ନୀତିନ ମୁକେଶଙ୍କ ପାଇଁ ‘ଲଫଙ୍ଗେ ପରିନ୍ଦେ’ ଓ ଅନୁଷ୍କା ଏବଂ ସାହିଦ କପୁରଙ୍କ ପାଇଁ ସେମାନଙ୍କ ଫିଲ୍ମ ‘ବଦମାସ କମ୍ପାନୀ’ର ପ୍ରମୋସନ କରିଥିଲେ ।

ଏହି ସେଲିବ୍ରେଟିମାନଙ୍କର ସାକ୍ଷାତକାର ଲାଇନ୍‌ଅପ୍‌ କରିବା ସହ ସେମାନଙ୍କ ପାଇଁ କଫି ମଧ୍ୟ ଅର୍ଡର କରୁଥିଲେ ପରିଣୀତି । ସେ ଏକଥା ମଧ୍ୟ କହିଥିଲେ ଯେ, ଗୋଟିଏ ଫୋନ୍‌ କଲ୍‌ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା । ଚାକିରି ଛାଡ଼ିବାର କିଛି ଦିନ ପରେ ଆଦିତ୍ୟ ଚୋପ୍ରା ତାଙ୍କୁ ଫୋନ୍‌ କରି ଡାକିଥିଲେ । ତାଙ୍କ ସହ ଦେଖା ହେବା ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଥିଲେ ପରିଣୀତି । କାରଣ ଆଦିତ୍ୟ ତାଙ୍କୁ ୟଶରାଜ ବ୍ୟାନରର ତିନିଟି ଫିଲ୍ମରେ ଅଭିନୟର ଅଫର୍‌ ଦେଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.