News7 Logo

ମା’-ଝିଅଙ୍କୁ ଆକ୍ରମଣ କଲା ଜଙ୍ଗଲୀ ମହୁମାଛି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

NEWS7
Rayagada

ରାୟଗଡ଼ା ୧୯: ଜଙ୍ଗଲୀ ମହୁମାଛି ଆକ୍ରମଣରେ ମା' ଓ ଝିଅ ଆହତ । ଜଣେ ଗର୍ଭବତୀ ମହିଳାଙ୍କ ସହ ତାଙ୍କ ୩ ବର୍ଷର ଶିଶୁ କନ୍ୟା ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଦୁନ୍ଦୁଲିଗୁଡା ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ମହିଳା ମଞ୍ଜୁଳା ହିଆଲୁ ଓ ତାଙ୍କ ୩ ବର୍ଷର ଶିଶୁ କନ୍ୟାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଉଭୟ ମା’ ଓ ଝିଅ ଦୁନ୍ଦୁଲିଗୁଡା ଗାଁରୁ କେନ୍ଦୁଗୁଡା ଗାଁ ଅଭିମୁଖେ ଚାଲି ଚାଲି ଯାଉଥିଲେ । ସେହି ସମୟରେ ହଠାତ ରାସ୍ତା କଡରେ ଥିବା ଆମ୍ବ ଗଛରୁ ଜଙ୍ଗଲୀ ମହୁମାଛି ବାହାରି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ହାତ, ମୁହଁ ଓ ବେକରେ ମହୁମାଛି ଆକ୍ରମଣ କରିଥିବା ଜଣାପଡିଛି । ମହୁମାଛି ଆକ୍ରମଣ ଫଳରେ ଦୁହେଁ ସେଠାରେ ଚିତ୍କାର କରି ତଳେ ପଡିଯାଇଥିଲେ । ସେଠାରେ କିଛି ଚାଷୀ ଜମିରେ ଚାଷ କରୁଥିବା ବେଳେ ଚିତ୍କାର ଶୁଣି ଦୌଡି ଆସିଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରି ବିଦ୍ୟୁତ ବିଭାଗର ଏକ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟ ଗର୍ଭବତୀ ଓ ଶିଶୁ କନ୍ୟାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।