ନ୍ୟୁୟର୍କ ୦୧/୧୧ : ଅଡୁଆରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ କମ୍ପାନୀର ସିଇଓ ବଙ୍କିମ ବ୍ରହ୍ମଭଟ୍ଟ । ତାଙ୍କ ନାଁରେ ଆସିଛି ୫ଶହ ନିୟୁତ ଡଲାର ହେରଫେର ଅଭିଯୋଗ । ୟୁଏସଏର ଏକ ଇନଭେଷ୍ଟମେଣ୍ଟ କମ୍ପାନୀ ବ୍ଲାକରକ୍ ଏପରି ଅଭିଯୋଗ ଆଣିଛି ।  ଏ ସଂପର୍କରେ  ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ମଧ୍ୟ ଖବର ପ୍ରକାଶ ପାଇଛି । ରିପୋର୍ଟ  ମୁତାବକ, ବଙ୍କିମ, ଆମେରିକାରେ ଥିବା ବ୍ରଡବ୍ୟାଣ୍ଡ ଟେଲିକମ୍ ଏବଂ ବ୍ରିଜଭଏସର ସିଇଓ ଅଟନ୍ତି  । ଅନେକ ଦିନ ଧରି ସେ ଏହି ବ୍ୟବସାୟ ସହ ଜଡିତ । କିନ୍ତୁ ନିକଟରେ ସେ ଭୁଲ ତଥ୍ୟ ଦେଇ ୫୦୦ ନିୟୁତ ଡଲାରର ଲୋନ୍ ହାତେଇଥିଲେ । ଏହି ଲୋନ୍ ପାଇଁ ସେ ବେଆଇନ ବନ୍ଧକ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି । ସେପଟେ ସମସ୍ତ ଅଭିଯୋଗକୁ ମିଛ କହି ଖଣ୍ଡନ କରିଛନ୍ତି ବଙ୍କିମଙ୍କ ଓକିଲ ।

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଅଭିଯୋଗ ମୁତାବକ  ଏଚପିଏସ୍ ନାମକ ଏକ କମ୍ପାନୀ ବଙ୍କାଇ ଗ୍ରୁପକୁ ୨୦୨୦ ମସିହାରେ ୪୩୦ ମିଲିୟନ ଲାରର ଲୋନ୍ ପ୍ରଦାନ କରିଥିଲା । ଏହି ଟଙ୍କାରେ ବଙ୍କିମ୍ ଟେଲିକମ୍ ସେବା ପ୍ରଦାନ କରିବେ ବୋଲି ଦାବି କରିଥିଲେ । କିନ୍ତୁ ୨୦୨୪ ମସିହା ଅଗଷ୍ଟ ମାସରେ ଲୋନ୍ ପ୍ରଦାନକାରୀ ସଂସ୍ଥାର କିଛି କର୍ମଚାରୀ ବଙ୍କିମଙ୍କ କମ୍ପାନୀ ବିରୋଧରେ ଫେକ୍ ଡୋମେନ୍ ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଥିଲେ ।ପରେ ଅନ୍ୟ ଏକ ସଂସ୍ଥା ଦ୍ବାରା ବଙ୍କିମ ଗ୍ରୁପ୍ ପକ୍ଷରୁ ପ୍ରଦାନ ହୋଇଥିବା ଡୋମେନ୍, ଇମେଲ ଏବଂ ବିଲ୍‌ର ଯାଞ୍ଚ କରାଯାଇଥିଲା । ଯାହା ଫେକ୍ ବୋଲି ପ୍ରମାଣିତ ହୋଇଥିଲା । କେବଳ ସେତିକି ନୁହେଁ  ଠକାମୀର ଚେର ଭାରତ ଏବଂ ମରିସସ୍ ଯାଏଁ ଲମ୍ବିଥିବା ଜଣାପଡିଥିଲା ।

କିଏ ଏହି ବଙ୍କିମ ବ୍ରହ୍ମଭଟ୍ଟ ?

ଆମେରିକାରେ ଅବସ୍ଥାପିତ ବଙ୍କାଇ ଗ୍ରୁପର ସିଇଓ ବଙ୍କିମ ବ୍ରହ୍ମଭଟ୍ଟ । ସେ ମୂଳତଃ ଭାରତୀୟ । ହେଲେ ଦୀର୍ଘ ଦିନ ହେବ ଆମେରିକାରେ ସେ ବ୍ୟବସାୟ ସମ୍ଭାଳୁଛନ୍ତି । ତାଙ୍କ ଗ୍ରୁପ ୟୁଏସରେ ଟେଲିକମ୍ ସେବା ମଧ୍ୟ ପ୍ରଦାନ କରିଥାଏ । ପ୍ରଥମେ ସେ ଟେଲିକମ୍ ଇଂଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।ପରେ ନିଜେ ସେଠାରେ ବଙ୍କାଇ ଗ୍ରୁପ୍ ସ୍ଥାପନ କରିଥିଲେ । ବଙ୍କିମଙ୍କ ଏହି ବ୍ୟବସାୟିକ ଯାତ୍ରା ୧୯୮୯ ମସିହାରୁ ଆରମ୍ଭ ହୋଇଥିଲା । ଭାରତରେ ମଧ୍ୟ ସେ ସେହି ସମୟରେ ଏକ ଟେଲିଫୋନ୍ ଶିଳ୍ପ ପ୍ରତିଷ୍ଠା କରିଥିଲେ ।ଏହା ପରେ ତାଙ୍କ ବ୍ୟବସାୟ ବିଭିନ୍ନ ଦେଶରେ ଆରମ୍ଭ ହୋଇଥିଲା । ଖୁବ୍ କମ ଦିନରେ ସେ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରମାଣିତ କରିପାରିଥିଲେ । ବଙ୍କାଇ ଗ୍ରୁପର ପ୍ରମୁଖ ପ୍ରଡକ୍ଟ ମଧ୍ୟରୁ ମୋବିଫିନ୍ ଇଲାଇଟ୍ ଅନ୍ୟତମ । ଏହା ଡିଜିଟାଲ କ୍ଷେତ୍ରରେ ଆର୍ଥିକ ସେବା ପ୍ରଦାନ କରିଥାଏ । ଆଫ୍ରିକୀୟ ଦେଶମାନଙ୍କର ଆର୍ଥିକ ବିକାଶରେ ଏହି କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । କୁହାଯାଉଛି ବଙ୍କିମ ବ୍ରହ୍ମଭଟ୍ଟ ଏବେ ଭାରତରେ ଅଛନ୍ତି । ନ୍ୟୁୟର୍କରେ ଥିବା କିଛି କମ୍ପାନୀରେ ତାଲା ପଡିବା ଯୋଗୁ କୋଟି କୋଟି ଟଙ୍କା କ୍ଷତି ହୋଇଥିବା ଅନୁମାନ କରାଯାଉଛି ।