News7 Logo

ଉପ-ରାଷ୍ଟ୍ରପତି ନିର୍ବାଚନ, କେଉଁ ପଟକୁ ଯିବ ବିଜେଡି ଭୋଟ? ସୁପ୍ରିମୋଙ୍କ ହାତରେ ନିଷ୍ପତ୍ତି

NEWS7

ଭୁବନେଶ୍ୱର ୦୩/୦୯ : ଆସନ୍ତା ୯ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ମଝିରେ ଆଉ ୬ ଦିନ ରହିଲା । ହେଲେ ଏଯାଏ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନି । ଦଳର କୌଣସି ନେତା ଏ ସଂପର୍କରେ କିଛି ନିଷ୍ପତ୍ତି କହିପାରୁନାହାନ୍ତି । ସାଂସଦମାନେ ବି ମୁହଁ ଖୋଲୁନାହାନ୍ତି । ଯାହାକୁ ପଚାରିଲେ, ସମାନ ଉତ୍ତର-ଠିକ୍‌ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନେବେ ନିଷ୍ପତ୍ତି । ସମ୍ଭବତଃ ଶେଷ ମୂହୂର୍ତ୍ତରେ ଦଳ ଏ ନେଇ କିଛି ଘୋଷଣା କରିପାରେ । ରାଜନୈତିକ ବିଶ୍ଳେଷକଙ୍କ ମତରେ ନବୀନଙ୍କ ପାଇଁ ଏଥର ନିଷ୍ପତ୍ତି ଏତେ ସହଜ ନୁହେଁ । ଏନ୍‌ଡିଏ ନା ଇଣ୍ଡିଆ ? ନା ନବୀନ କାଢ଼ିବେ ବିବେକାନୁମୋଦିତ ବାଟ । ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଯିବ ବିଜେଡି ଭୋଟ ? ନିଷ୍ପତ୍ତି ନବୀନଙ୍କ ହାତରେ ।  

ଅତୀତରେ ଅନେକ ପ୍ରସଙ୍ଗରେ ବିଜେଡିର ସମର୍ଥନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଯାଇଛି । ପୂର୍ବଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଖୋଲାଖୋଲି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । ମାତ୍ର ଏଥର ପରିସ୍ଥିତି ଭିନ୍ନ । ଓଡ଼ିଶାରେ ବିଜେଡି ଏବେ ପ୍ରମୁଖ ବିରୋଧୀ ଦଳ । କିଛି ମାସ ପୂର୍ବରୁ ସଂସଦରେ ୱାକଫ ବିଲ୍‌ ଭୋଟକୁ ନେଇ ବିଜେଡି ଦଳ ଭିତରେ ଯେଉଁଭଳି ବିଦ୍ରୋହ, କନ୍ଦଳ ଓ ବୟାନବାଜି ଦେଖିବାକୁ ମିଳିଲା, ପୂର୍ବରୁ କେବେ ସେମିତି ହୋଇନଥିଲା । ବିଜେଡି ସାମ୍ନାରେ ଏବେ ଅନେକ ଦ୍ୱନ୍ଦ୍ୱ । ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏକୁ ସମର୍ଥନ ଦେଲେ, ରାଜ୍ୟରେ ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ଭିତରକୁ କି ବାର୍ତ୍ତା ଯିବ? ବିଜେପି-ବିଜେଡି ଭାଇ ଭାଇ କହି କଂଗ୍ରେସ ଫାଇଦା ନେବାକୁ ଚେଷ୍ଟା କରିବ । ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କଲେ, ବିଜେପି ଆଣିବ ସମାନ ଅଭିଯୋଗ । ଏଭଳି ସ୍ଥିତିରେ ବିଜେଡିର ସମଦୂରତ୍ୱ ନୀତି ଉପରେ ପ୍ରଶ୍ନ ଉଠିପାରେ ।

କାହାକୁ ଖୋଲା ସମର୍ଥନ ନ କରି ବିବେକାନୁମୋଦିତ ମତଦାନ ପାଇଁ ସାଂସଦମାନଙ୍କୁ କହିବେ କି ନବୀନ? ଏଭଳି ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ । ନିକଟରେ ନବୀନଙ୍କ ଅସୁସ୍ଥତା ଖବର ଶୁଣି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇଥିଲେ । ଏନ୍‌ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନଙ୍କୁ ସମର୍ଥନ ପାଇଁ ଫୋନ୍‌ କରି ଅନୁରୋଧ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ନବୀନ ନିବାସ ଯାଇଥିଲେ । ଖାଲି ସେତିକି ନୁହେଁ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ନବୀନଙ୍କୁ ଫୋନ୍‌ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ନବୀନଙ୍କ ସମର୍ଥନ ପାଇବାକୁ ଉଭୟ ପକ୍ଷ ଆଶା ବାନ୍ଧିଛନ୍ତି ।