LIVE TV

ପ୍ରଥମ ଦିନରେ ଓ୍ଵିକେଟ୍ ପାଇଁ ନୟାନ୍ତ ହେଲା ଓ୍ଵେଷ୍ଟଇଣ୍ଡିଜ, ଦ୍ଵିଶତକର ନିକଟତର ଜୟସ୍ଵାଲ

NEWS7
IND vs WI

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଦ୍ଵିତୀୟ ତଥା ଅନ୍ତିମ ଟେଷ୍ଟ ଖେଳା ଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୩୧୮ ରନ କରିଛି। ଯଶସ୍ଵୀ ଜୟସ୍ଵାଲ ଦମଦାର ଶତକ ହାସଲ କରି ୧୭୩ ରନରେ ଅପରାଜିତ ଅଛନ୍ତି। ଅଧିନାୟକ ଶୁଭମନ ଗିଲ୍ ୨୦ ରନ କରି ଖେଳୁଛନ୍ତି। ପୂରା ଦିନର ଖେଳ ଭାରତ ନାଁରେ ରହିଛି।

ଦୁଇ ଓପନର ଜୟସ୍ଵାଲ ଓ କେଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ଓପନିଂରେ ୫୮ ରନ ଯୋଡ଼ିଥିଲେ। ଗତ ମ୍ୟାଚ୍‌ର ଶତକବୀର ରାହୁଲ ୩୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଜୟସ୍ଵାଲ ଓ ସାଇ ସୁଦର୍ଶନ ଇନିଂସ ସମ୍ଭାଳିଥିଲେ। ଉଭୟ ଇଣ୍ଡିଜ ବୋଲରଙ୍କ ଧୁଲେଇ କରିଥିଲେ। ଏହି କ୍ରମରେ ଜୟସ୍ଵାଲ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଛନ୍ତି। ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ପ୍ରଥମ ଟେଷ୍ଟ ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ସେ ୧୨ ଚୌକା ସହ ୮୭ ରନ କରି ଆଉଟ୍ ହୋଇଛନ୍ତି। ତେବେ ଏହା ପୂର୍ବରୁ ଜୟସ୍ଵାଲ ଓ ସୁଦର୍ଶନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୯୩ ରନର ବିଶାଳ ଭାଗିଦାରୀ କରିଥିଲେ।

ଏହା ପରେ ଜୟସ୍ଵାଲ ଓ ଅଧିନାୟକ ଗିଲ୍ ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୭ ରନ ଯୋଡ଼ି ସାରିଛନ୍ତି। ଏହିପରି ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୨ ଓ୍ଵିକେଟ୍ ହରାଇ ୩୧୮ ରନ କରିଛି। ଜୟସ୍ଵାଲ ୨୨ ଚୌକା ସହ ୧୭୩ ରନ କରି ଅପରାଜିତ ଅଛନ୍ତି। ବୋଲିଂରେ ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଜୋମେଲ ଓ୍ଵାରିକାନଙ୍କୁ ବାଦ୍ ଦେଲେ ବାକି ବୋଲର ନିରାଶ ହୋଇଛନ୍ତି। ଜୋମେଲ ୬୦ ରନ ଦେଇ ଉଭୟ ଓ୍ଵିକେଟ୍ ନେଇଛନ୍ତି।

 

                                                                         ​​​​​​​