ହୋବାର୍ଟ:  ଟିମ ଡେଭିଡ ଓ ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଉପରେ ଭାରି ପଡ଼ିଲେ ଓ୍ଵାଶିଂଟନ ସୁନ୍ଦର। ହୋବାର୍ଟରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଘରୋଇ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟ୍‌ରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟିମ୍ ଡେଭିଡଙ୍କ ୭୪ ରନ ଓ ମାର୍କସ ଷ୍ଟୋଇନିସଙ୍କ  ୬୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଓ୍ଵାଶିଂଟନ ସୁନ୍ଦରଙ୍କ ବିସ୍ଫୋରକ ୪୯ ରନ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଭାରତ ୧୮.୩  ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ନଭେମ୍ବର ୬ରେ ଖେଳାଯିବ ଚତୁର୍ଥ ମ୍ୟାଚ୍। 

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୩୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଭିଷେକ ଶର୍ମା ୧୬ ବଲରୁ ୨୫ ରନ କରିଥିଲେ। ଶୁଭମନ ଗିଲ୍ ୧୫ ରନ କରିଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୧ ବଲରୁ ୨୪ ରନ କରି ଆଉଟ୍ ହୋଇଥିଲେ। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଥିଲେ ହେଁ ଆବଶ୍ୟକ ଗତିରେ ରନ ସଂଗ୍ରହ କରି ଚାଲିଥିଲା। ଫଳରେ ଦଳ ଚାପରେ ଆସି ନ ଥିଲା। ତେବେ ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନ କରିଥିବା ବେଳେ ତିଳକ ବର୍ମା ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଉଭୟଙ୍କ ମଧ୍ୟରେ ଅପରାଜିତ ୪୩ ରନର ଭାଗିଦାରୀ ଭାରତର ବିଜୟ ସୁନିଶ୍ଚିତ କରିଥିଲା।​​​​​​​

ଶେଷ ଆଡ଼କୁ ଓ୍ଵାଶିଂଟନ ସୁନ୍ଦର ଓ ଜିତେଶ ଶର୍ମା ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ।ଓ୍ଵାଶିଂଟନ ୨୩ ବଲରୁ ଦ୍ରୁତ ୪୯ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି। ଜିତେଶ ଶର୍ମା ବିଜୟ ସୂଚକା ଚୌକା ମାରି ୨୨ ରନ କରିଥିଲେ।ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ୩୬ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଜାଭିଏର ବାର୍ଟଲେଟ୍ ଓ ମାର୍କସ ଷ୍ଟୋଇନିସଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​

ଅଷ୍ଟ୍ରେଲିଆ ଇନିଂସ

ଗୁରୁବାର ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ଟାର୍ଭିସ୍ ହେଡ୍ ଓପନିଂ କର କରିବାକୁ ଆସିଥିଲେ। ହେଲେ ଓପନିଂ ଯୋଡ଼ି ସେତେଟା କମାଲ କରିପାରି ନଥିଲେ। ଟ୍ରାଭିସ୍ ହେଡ୍ ୬ ରନ୍ ଓ ମାର୍ସ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିପରି ଜସ ଇଙ୍ଗଲିସ୍ ମାତ୍ର ୧ ରନ୍ କରି ପାଭିଲିଅନ ଫେରିଯାଇଥିଲେ। ହେଲେ ଟିମ୍ ଡେଭିଡ୍ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ସେ ମାତ୍ର ୩୮ ବଲ୍‌ରେ ୭୪ ରନ୍ କରିଥିଲେ। ସେହିପରି ମାର୍କ ଷ୍ଟୋଇନିସ୍ ସର୍ବାଧିକ ୬୪ ରନ୍ କରିଥିବା ବେଳେ ବାକି ବ୍ୟାଟର୍ ଦୁଅ ଅଙ୍କ ବି ଛୁଇଁ ପାରି ନଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ଓ ଶିବ ଦୁବେ ଗୋଟିଏ ୱିକେଟ ନେଇଛନ୍ତି। ତୃତୀୟ ଟି-୨୦ରେ ସୁଯୋଗ ପାଇ ଅର୍ଶଦୀପ ସିଂହ ଘାତକ ବୋଲିଂ କରିଥିଲେ। ପ୍ରଥମ ଓଭରରେ ହିଂ ସେ ଟ୍ରାଭିସ୍ ହେଡ୍‌ଙ୍କ ୱିକେଟ୍ ନେଇ ଦଳକୁ ବଡ଼ ସଫଳତା ଦେଇଥିଲେ। ଶିବମ ଦୁବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪୩ ରନ ଦେଇ ମାତ୍ର ଗୋଟିଏ ୱିକେଟ୍(ଷ୍ଟୋଇନିସ) ନେଇଥିଲେ।  ଅକ୍ଷର ପଟେଲ୍ ମଧ୍ୟର ୪ ଓଭର କରି ୩୫ ରନ୍ ଦେଇଥିଲେ ବି ଗୋଟିଏ ବି ସଫଳତା ପାଇପାରି ନଥିଲେ। ସେହିପରି ବୁମ୍ରାଙ୍କୁ ମଧ୍ୟ ଆଜି କୌଣସି ସଫଳତା ମିଳିପାରି ନାହିଁ।