ଭଦ୍ରକ: ଗାଁ ଝିଅ ଓଏଏସ ହୋଇଛି। ସେ ପୁଣି ଗାଁର ପ୍ରଥମ ଓଏଏସ। ତେଣୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନାରେ ପାଛୋଟି ନେଇଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ବଲଭଦ୍ରପୁରରେ। ଗାଁର ଝିଅ ସ୍ଵାତୀ ଦୀପା ରାଉତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବଡ଼ କଥା ହେଲା ସ୍ବାତୀ ଗାଁର ପ୍ରଥମ ଝିଅ ଯିଏକି ଓଏଏସ ପାଇଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କ ଖୁସି କହିଲେ ନସରେ। ଏଥିପାଇଁ ରେଜଲ୍ଟ ଘୋଷଣା ପରେ ଗାଁରେ ପହଞ୍ଚିଥିବା ସ୍ବାତୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ସ୍ବାଗତ କରିଛନ୍ତି ଗ୍ରାମବାସୀ।

ସ୍ଵାତୀ ଦୀପା ଭୁବନେଶ୍ବର ରୁ ଆସିବା ପରେ ୧୬ ନମ୍ୱର୍ ଜାତୀୟ ରାଜପଥର ନଳାଙ୍ଗ ଠାରୁ ଭବ୍ୟ ଶୋଭାଯାତ୍ରାରେ ଗାଁକୁ ଆଣିଥିଲେ ଗ୍ରାମବାସୀ। ଚୁନିଦା ବଜାରରୁ ବାଜା ବଜାଇ ବାଣ ଫୁଟାଇ ଗୀତର ତାଳରେ ନାଚି ନାଚି ତାଙ୍କୁ ସ୍ୱାଗତ କରିଥିଲେ। ଗାଁ ଲୋକେ ସାହି ଛକରେ ଫୁଲତୋଡ଼ା ଦେଇ ସ୍ଵାଗତ କରିଥିଲେ। ତେବେ ଗାଁ ର ପ୍ରଥମ ଓ ଏ ଏସ ହୋଇଥିବାରୁ ଗାଆଁ ଲୋକେ ଏମିତି ନିଆରା ଭାବେ ସ୍ଵାଗତ କରିଥିବା କହିଛନ୍ତି ।

ସ୍ଵାତୀଙ୍କ ମାଆ କହିଛନ୍ତି ଅର୍ଥାଭାବରୁ ସେ କେବଳ ଅନଲାଇନ କ୍ଲାସ କରୁଥିଲେ। ଅଫଲାଇନ୍ କ୍ଲାସ କରି ନପାରି ଓଏଏସ ହେବାର ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଜନୈକ ଶିକ୍ଷକଙ୍କ ସହଯୋଗ ତାଙ୍କ ସ୍ବପ୍ନ ସାକାର କରିଛି। ସ୍ବାତୀ ଗ୍ରାମାଞ୍ଚଳ ଲୋକଙ୍କ ସହ ଜଡ଼ିତ ରହି କାମ କରିବେ ବୋଲି କହିଛନ୍ତି।

ସଫଳତା ପଛରେ ଥାଏ ଅନେକ ସଙ୍ଘର୍ଷ ଓ ପ୍ରୟାସର କାହାଣୀ । ତା’ ସାଙ୍ଗକୁ ଅନେକଙ୍କ ଆଶୀର୍ବାଦ ମଧ୍ୟ ଜଣକୁ ସଫଳ କରିଥାଏ। ଏହିଭଳି ସମ୍ବର୍ଦ୍ଧନା ଓ ସ୍ଵାଗତ ଅନେକଙ୍କୁ ଏମିତି ସଫଳତା ପାଇଁ ଉତ୍ସାହିତ କରିବ।