News7 Logo

ରାସ୍ତା ପାଇଁ ରାସ୍ତା ରୋକ୍, ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

NEWS7
rastarok

ବଲଙ୍ଗାରୀ: ବର୍ଷ ବର୍ଷ ଧରି ରାସ୍ତାର ଅବସ୍ଥା ବେହାଲ । ଯିବା ଆସିବା ପାଇଁ ନାନା ହୀନସ୍ତା ହେଉଛନ୍ତି ଅଞ୍ଚଳବାସୀ । ହେଲେ ରାସ୍ତା ନିର୍ମାଣ ପାଇଁ ସତେ ଯେପରି କାହାର ଅନ୍ତରୀକତା ନାହିଁ । ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ପ୍ରଶାସନ ସତେ ଯେମିତି ଅଖି ବୁଜି ବସିଛି । ଗୋଟିଏ କି ଦୁଇଟି ନିହେଁ । ୫ରୁ ଅଧିକ ଗ୍ରାମ ପଞ୍ଚାୟତ ଲୋକ ନିର୍ଭର କରୁଥିବା ବରଙ୍ଗା-ଡଙ୍ଗରମୁଣ୍ଡା ଗ୍ରାମ ରାସ୍ତା ଶୋଚନୀୟ ଅବସ୍ଥାରେ । ଶେଷରେ ରାସ୍ତା ପାଇଁ ରାସ୍ତା ରୋକ୍ କଲେ ହଜାର ହଜାର ଲୋକ ।

ବଲାଙ୍ଗୀର ସଇଁନ୍ତଳା ବ୍ଳକର ଡଙ୍ଗର ମୁଣ୍ଡା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ । ପାଞ୍ଚରୁ ଅଧିକ ଗ୍ରାମ ପଞ୍ଚାୟତ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ନିତିଦିନିଆ ଯିବା ଆସିବା, ସ୍କୁଲ ପିଲାଠୁ ବୟସ୍କ ଓ ଗର୍ଭବତୀ ମହିଳାଙ୍କୁ ନାହିଁ ନଥି ଅସୁବିଧାର ସାମନା କରନ୍ତି । ଶନିବାର ଅଞ୍ଚଳବାସୀଙ୍କ ଆକ୍ରୋଶ ବଢିଥିଲା । ଆଉ ବାଧ୍ୟ ହୋଇ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରାସ୍ତା ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଦାବି କରିଛନ୍ତି । ଦୀର୍ଘ ଘଣ୍ଟା ଧରି ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା । ତେବେ ରାସ୍ତା କାମ ତୁରନ୍ତ ଆରମ୍ଭ ନେଇ ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା