ବ୍ରହ୍ମଗିରି ୮।୧୦: ସବୁ ନିୟମକୁ ଫୁ, ଆଇନ କି ପୋଲିସକୁ ଫାଇନାନନ୍ସ କର୍ମଚାରୀ ଟିକେ ବି ଖାତିର ନାହିଁ । ଟୁ ହ୍ୱିଲର ଲୋନ୍‌ ଖିଲାପକୁ ନେଇ ଫାଇନାନ୍ସ କର୍ମଚାରୀ ଗ୍ରାହକଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ । ଆଉ ସେହି ଆକ୍ରମଣରେ ଋଣ ନେଇଥିବା ବ୍ୟକ୍ତିଙ୍କ ସହ ଦୁଇ ଜଙ୍କ ଅବସ୍ଥା ଏବେ ଗୁରୁତର । ବ୍ରହ୍ମଗିରି ଥାନା ଅନ୍ତର୍ଗତ କେରାଣ୍ଡିଆ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଦିନ ଦ୍ବିପ୍ରରେ ଫାଇନାନ୍ସ କର୍ମଚାରୀଙ୍କ ଗୁଣ୍ଡାରାଜ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଇ ଗୁରୁତର ବ୍ୟକ୍ତି ସଂପର୍କରେ ମାମୁ-ଭଣଜା ବୋଲି ଜଣାଯାଇଛି ।      

ଖବର ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୋଲରା ଅଞ୍ଚଳର  ଅଜୀବ ଜେନା ଋଣ କରି ଏକ ଟୁ ହ୍ୱିଲର କିଣିଥିଲେ । ସେ ବୁଧବାର ଦିନ ତାଙ୍କ ଭଣଜାଙ୍କ ସହିତ ଟୁ ହ୍ୱିଲରରେ ଅସୁସ୍ଥ ପୁଅକୁ ନେଇ ଡାକ୍ତରଖାନା ଯାଉଥିଲେ । ଏହି ସମୟରେ ହାତିଆ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ । ଗାଡି କିସ୍ତି ଖିଲାପ ଥିବା କଥା କହି ବାଟ ଓଗାଳିବାରୁ ଅଜୀବ ଏବଂ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ଶୁଣି ଲୋକ ରୁଣ୍ଡ ହେବାରୁ ସେମାନେ ସେଠାରୁ ପଳାଇଥିଲେ । ଅଜୀବ ଓ ତାଙ୍କ ଭଣଜା ଅସୁସ୍ଥ ପୁଅକୁ ଡାକ୍ତରଖାନା ଅଭିମୁଖେ ଯାଇଥିଲେ । ଏପଟେ କିନ୍ତୁ ଫାଇନାନ୍ସ କର୍ମଚାରୀ ଜଣକ ସେମାନଙ୍କ ପିଛା ଛାଡି ନଥିଲେ । କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ୍ ନିକଟରେ ପହଞ୍ଚି ସେ ପୁଣି ଅଜୀବଙ୍କ ସହ ପାଟିତୁଣ୍ଡ କରିଥିଲେ । ଯୁକ୍ତି ତର୍କ ଓ ପାଟିତୁଣ୍ଡ ବେଳେ ଫାଇନାନ୍ସ କର୍ମଚାରୀ ଜଣକ ହଠାତ ଏକ ଧାରୁଆ ଅସ୍ତ୍ର ବାହାର କରି ଅଜୀବଙ୍କୁ ଆକ୍ରମଣ କରିଥିଲେ । ସାଙ୍ଗରେ ଥିବା ଅଜୀବଙ୍କ ଭଣଜା ପୂର୍ଣ୍ଣ ଜେନା ତାହାର ବିରୋଧ କରିଥିଲେ । ଏଥିରେ ଅଧିକ ଉତକ୍ଷିପ୍ତ ହୋଇ ଫାଇନାନ୍ସ କର୍ମଚାରୀ ଜଣକ ଉଭୟ ମାମୁ-ଭଣଜାଙ୍କୁ ଆକ୍ରମଣ କରିଥିଲେ ।  ମାମୁ ଅଜୀବ ଜେନାଙ୍କ ଜଙ୍ଘ, ମୁଣ୍ଡ ଏବଂ ଭଣଜା ପୂର୍ଣ୍ଣ ଜେନାଙ୍କ ପେଟରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ପ୍ରଥମେ କେରାଣ୍ଡିଆ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଉଭୟ ମାମୁ-ଭଣଜାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଆକ୍ରମଣ କରିବା ପରେ ସଂପୃକ୍ତ ଫାଇନାନ୍ସ କର୍ମଚାରୀ ଜଣକ ନିଜ ବାଇକ୍‌ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ବାଇକ୍ ସହ  ଅଜୀବ ଜେନାଙ୍କ ଟୁ ହ୍ୱିଲରକୁ ଜବତ କରିଛି । ଘଟଣାର  ତଦନ୍ତ ଜାରି ରହିଥିବା ପୋଲିସ ସୂଚନାରୁ ଜଣାଯାଇଛି । ଏପଟେ ଫାଇନାନ୍ସ କର୍ମଚାରୀଙ୍କ ଆକ୍ରମଣରେ ଗୁରୁତର ମାମୁ-ଭଣଜା ଅଜୀବ ଏବଂ ପୂର୍ଣ୍ଣ ଜେନା ପୁରୀ ସଦର ମୁକ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।  ଋଣ ଆଦାୟ ନାମରେ ଫାଇନାନ୍ସ କର୍ମଚାରୀଙ୍କ ଗୁଣ୍ଡାଗିରି, ମାରଣାସ୍ତ୍ରରେ ହାଣିବା ଘଟଣା ବ୍ରହ୍ମଗିରିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଋଣ ଆଦାୟର ତରିକା ତଥା ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦିଷ୍ଟ ଆଇନ ଏବଂ ନିୟମ ରହିଛି । କିନ୍ତୁ ଏଠାରେ ଋଣ ଖିଲାପକୁ ନେଇ ଅସମୟରେ ଫାଇନାନ୍ସ କର୍ମଚାରୀଙ୍କ ଗୁଣ୍ଡାଗିରି ଘଟଣା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
​​​