LIVE TV

Top-10 ଶକ୍ତିଶାଳୀ ପାସପୋର୍ଟ ତାଲିକାରୁ ବାଦ ପଡିଲା US , ଜାଣନ୍ତୁ ଭାରତର ସ୍ଥାନ କେଉଁଠି?

NEWS7
gfx

ନୂଆଦିଲ୍ଲୀ ୧୬।୧୦: ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଥର ବିଶ୍ୱର ଟପ-୧୦ ଶକ୍ତିଶାଳୀ ପାସପୋର୍ଟ ତାଲିକାରୁ ବାଦ ପଡିଛି। ହେନଲେ ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ଜାରି ତାଜା ରିପୋର୍ଟରେ ଆମେରିକା ପାସପୋର୍ଟ ଏବେ ତାଲିକାର ୧୨ ନମ୍ବର ସ୍ଥାନକୁ ଖସି ଯାଇଛି ଓ ମାଲେସିଆ ସହିତ ସମାନ ହୋଇଥିବା ବେଳେ ସାରା ବିଶ୍ୱରେ ୨୨୭ ଗନ୍ତବ୍ୟରୁ ୧୮୦ଟି  ଭିସା ମୁକ୍ତ ପହଞ୍ଚ ପ୍ରଦାନ କରିପାରୁଛି। ହେନଲେ ପାସପୋର୍ଟ ଇଣ୍ଡେକ୍ସ କୌଣସି ଦେଶର ପାସପୋର୍ଟ ସହ ଯାତ୍ରୀ କେତେ ଦେଶକୁ ଭିସା ମୁକ୍ତ ଯାତ୍ରା କରିପାରିବେ ତାହା ଆକଳନ କରୁଛି।

ହେନଲେ ରିପୋର୍ଟ ଅନୁସାରେ ଗତବର୍ଷ ଆମେରିକା ତାଲିକାର ସପ୍ତମ ସ୍ଥାନରେ ଥିଲା। ତେବେ ଗତ ଜୁଲାଇ ମାସରେ ୧୦ମ ସ୍ଥାନକୁ ଆସିଯାଇଥିଲା। ହେଲେ ୨୦୧୪ ମସିହାରେ ଆମେରିକା ଏହି ତାଲିକାର ଶୀର୍ଷରେ ଥିଲା। ୨୦୨୫ ରାଙ୍କିଙ୍ଗରେ ୩ ଏସିୟ ଦେଶ ଲିଡରବୋର୍ଡର ଟପରେ ଅଛନ୍ତି। ସିଙ୍ଗାପୁର ୧୯୩ ଗନ୍ତବ୍ୟକୁ ଭିସାମୁକ୍ତ ଯାତ୍ରା ସହ ତାଲିକାର ଶୀର୍ଷରେ ରହିଛି। ଏହା ପଛକୁ ଦକ୍ଷିଣ କୋରିଆ ୧୯୦ ଓ ଜାପାନ ୧୮୯ ଗନ୍ତବ୍ୟ ସହିତ ତୃତୀୟ ସ୍ଥାନରେ ରହିଛି।

ହେନଲେ ଆଣ୍ଡ ପାର୍ଟନର୍ସ ଅଧ୍ୟକ୍ଷ ଓ ଇଣ୍ଡେକ୍ସର ନିର୍ମାତା କ୍ରିଷ୍ଟିୟାନ ଏଚ କ୍ୟାଲିନ କହିଛନ୍ତି ଯେ ‘ପିଛିଲା ୧ ଦଶନ୍ଧୀ ହେଲା ଆମେରିକା ପାସପୋର୍ଟର ହ୍ରାସ ହେଉଥିବା ଶକ୍ତି ରାଙ୍କିଙ୍ଗ ଅଦଳବଦଳଠାରୁ ଢେର ଅଧିକ। ଏହା ବୈଶ୍ୱିକ ଗତିଶୀଳତା ଓ ସଫ୍ଟ ପାୱାରର ଗତିଶୀଳତାରେ ଏକ ଭିତ୍ତିଭୂମି ପରିବର୍ତ୍ତନର ସଂକେତ’। ସେ କହିଛନ୍ତି ଯେ ‘ଯେଉଁ ଦେଶମାନେ ମୁକ୍ତ ଓ ସହଯୋଗକୁ ଆପଣଉଛନ୍ତି, ସେମାନେ ଆଗକୁ ବଢୁଛନ୍ତି। ହେଲେ ଯେଉଁମାନେ ଅତୀତର ବିଶେଷାଧିକାର ଉପରେ ଟିକି ରହିଛନ୍ତି ସେମାନେ ପଛକୁ ହଟୁଛନ୍ତି’।

ତେବେ ଏପରି ହ୍ରାସର କାରଣ ପରିବର୍ତ୍ତନ ଓ ପାରସ୍ପରିକତାର ଅଭାବ ସହିତ ଜଡିତ ରହିଛି। ଗତ ଏପ୍ରିଲରେ ବ୍ରାଜିଲ ପାରସ୍ପରିକ ବ୍ୟବହାର କ୍ଷୁର୍ଣ୍ଣ ହେବା ଯୋଗୁ ଆମେରିକା, କାନାଡା ଓ ଅଷ୍ଟ୍ରେଲିୟା ଯାତ୍ରୀଙ୍କ ଭିସାମୁକ୍ତ ପ୍ରବେଶକୁ ପ୍ରତ୍ୟାହାର କରିନେଇଥିଲା। ଇତି ମଧ୍ୟରେ ଜର୍ମାନ ଓ  ଫ୍ରାନ୍ସ ସମେତ ଏକ ଡଜନରୁ ଅଧିକ ୟୁରୋପୀୟ ଦେଶଙ୍କୁ ପ୍ରବେଶ ନିୟମରେ ଚୀନ୍ କୋହଳ କରିଛି। ହେଲେ ଏଥିରେ ଆମେରିକା ପାଇଁ କୋହଳ କରାଯାଇନି। ପାପୁଆ ନ୍ୟୁଗିନି ଓ ମ୍ୟାଁମାର ଭଳି ଦେଶମାନେ  ନୀତିରେ ଏପରି ପରିବର୍ତ୍ତନ କରିଛନ୍ତି ଯେ ଏଥିରେ ଅନ୍ୟ ଦେଶଙ୍କ ରାଙ୍କିଙ୍ଗ ସୁଧାର ହୋଇଛି ସତ ହେଲେ ଆମେରିକାର ରାଙ୍କିଙ୍ଗ ଦୁର୍ବଳ ହୋଇପଡିଛି।

ଏଥିରେ ସୋମାଲିଆର ନୂଆ ଇ-ଭିସା ଓ ଭିଏତନାମ ନିଜ ଫ୍ରି ଭିସା ନିୟମରୁ ଆମେରିକାକୁ ବାହାରେ ରଖିବା ଏପରି ପରିସ୍ଥିତି ସୃଷ୍ଟି କରିଛି। ତେବେ ରାଙ୍କିଙ୍ଗରେ ଏପରି ହ୍ରାସ ଟ୍ରମ୍ପ ପ୍ରଶାସନରେ ହାତକୁ ନିଆଯାଇଥିବା କଡ଼ା ଇମ୍ମିଗ୍ରେସନ ଓ ଯାତ୍ରା ନୀତି ସହିତ ମଧ୍ୟ ମେଳ ହେଉଛି। ହେନଲେ ଆଣ୍ଡ ପାର୍ଟନର୍ସ ତାଙ୍କ ପ୍ରେସ୍ ରିଲିଜରେ କହିଛନ୍ତି ଯେ ପାରସ୍ପରିକତା ରାଙ୍କିଙ୍ଗରେ ଏକ ମୁଖ୍ୟ ଭୂମିକା ନିର୍ବାହ କରୁଛି। ଆମେରିକୀୟ ୧୮୦ ଦେଶକୁ ଭିସା ମୁକ୍ତ ଯାତ୍ରା କରିପାରିବେ, ହେଲେ ଆମେରିକା କେବଳ ୪୬ ଦେଶର ଲୋକଙ୍କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରୁଛି।

ହେନଲେ ପାସପୋର୍ଟ ଇଣ୍ଡେକ୍ସରେ ଭାରତ ମଧ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଭାରତ ସୂଚକାଙ୍କର ୮୫ତମ ସ୍ଥାନରେ ଥିବା ବେଳେ ଭାରତୀୟ ପାସପୋର୍ଟରେ ମାତ୍ର ୫୭ ଦେଶକୁ ଭିସା ମୁକ୍ତ ପହଞ୍ଚ ମିଳିପାରୁଛି। ଗତବର୍ଷ ଭାରତର ପାସପୋର୍ଟ ୬୨ଟି ଗନ୍ତବ୍ୟରେ ଭିସାମୁକ୍ତ ଯାତ୍ରା ସହିତ ଇଣ୍ଡେକ୍ସର ୮୦ତମ ସ୍ଥାନରେ ଥିଲା।