କଟକ: ଦୁଇ ଦିନିଆ ଛତ୍ର ବଜାର ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଅର୍ବାନ ହାଟ ନିଲାମୀ ପ୍ରକ୍ରିୟାକୁ ସିଏମସି ସ୍ଥଗିତ ରଖିବା ପରେ, ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଙ୍ଘ।

ପ୍ରକୃତରେ ପୂର୍ବରୁ ଅର୍ବାନ ହାଟ ବାବଦରେ ବ୍ୟବସାୟୀମାନେ ଦୈନିକ ୨୦ ଟଙ୍କା ଆକାରରେ ଯୁଜର୍ସ ଫି’ ଦେଉଥିଲେ। ଏହି ଫି’ ଆଦାୟ କରିବାର ଦାୟିତ୍ୱ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା। ମାତ୍ର ନିକଟରେ ଅର୍ବାନ ହାଟକୁ ନିଲାମ କରିବା ଲାଗି ଟେଣ୍ଡର ଡାକିଥିଲା ସିଏମସି। ଯାହାକୁ ବିରୋଧ କରି ୪ଟି ସଂଗଠନ ଗତ ୨୫ ତାରିଖରେ ପ୍ରତିବାଦ ଜଣାଇଥିଲେ।

ସେମାନେ ଅଭିଯୋଗ କରିଥିଲେ, ହାଟ ପରିଚାଳନା ପାଇଁ ସେମାନେ ରାଜି ଅଛନ୍ତି, କିନ୍ତୁ ସେମାନଙ୍କ ସହ କୌଣସି ଆଲୋଚନା ନକରି ନିଲାମୀ ପ୍ରକ୍ରିୟା ଆରମ୍ଭ କରିବା ଠିକ୍‌ ନିଷ୍ପତ୍ତି ନୁହେଁ ବୋଲି ବ୍ୟବସାୟୀମାନେ କହିଥିଲେ।

ଏମିତିରେ ହାଟ ନିଲାମ ନିଷ୍ପତ୍ତିର ପୁନର୍ବିଚାର ନହେଲେ ଆଗାମୀ ୨୮ ଓ ୨୯ ତାରିଖରେ କଟକ ଛତ୍ର ବଜାର ଅର୍ବାନ ହାଟ ବନ୍ଦ ରଖିବାକୁ ବ୍ୟବସାୟୀ ସଙ୍ଘ ଚେତାବନୀ ଦେଇଥିଲା। ତେବେ ସିଏମସି ନିଲାମ ନିଷ୍ପତ୍ତିକୁ ସ୍ଥଗିତ କରିବା ପରେ ଅର୍ବାନ ହାଟ ବ୍ୟବସାୟୀ ସଙ୍ଘ ଆନ୍ଦୋଳନ ଡାକରା ପ୍ରତ୍ୟାହୃତ କରିଛି।