ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧାରା ଜାରି ରହିଛି। ଷ୍ଟୀଲ, ଅନ୍ୟାନ୍ୟ ଉତ୍ପାଦ ଓ ଔଷଧ ପରେ ଏବେ ସିନେମା ଉପରେ ଟାରିଫ ଲଗାଇଛନ୍ତି ଟ୍ରମ୍ପ। ଏନେଇ ସେ ସୋମବାର ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେରିକା ବାହାରେ  ନିର୍ମାଣ ହେଉଥିବା ସମସ୍ତ ସିନେମା ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି।

ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଆମର ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟକୁ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାରୁ ଚୋରି କରାଯାଉଛି ଯେପରି ଶିଶୁଠାରୁ ଚୋକୋଲେଟ ଚୋରି କରାଯାଏ। କାଲିଫର୍ନିଆ, ଏହାର ଦୁର୍ବଳ ଏବଂ ଅକ୍ଷମ ଗଭର୍ଣ୍ଣଙ୍କ ପାଇଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି! ତେଣୁ, ଏହି ଦୀର୍ଘକାଳୀନ ଓ କେବେ ଶେଷ ନ ହେଉଥିବା ସମସ୍ୟାର ସମାଧାନ ପାଇଁ, ମୁଁ ଯୁକ୍ତରାଷ୍ଟ୍ର ବାହାରେ ନିର୍ମିତ ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦% ଶୁଳ୍କ ଲାଗୁ କରିବି।” ଏହି ପୋଷ୍ଟରେ ଆମେରିକାକୁ ପୁଣିଥରେ ମହାନ କରି ଗଢ଼ି ତୋଳିବା ବୋଲି ଲେଖିଛନ୍ତି ଟ୍ରମ୍ପ।
ବିଦେଶୀ ସିନେମା ଉପରେ

ବିଦେଶୀ ସିନେମା ଉପରେ ଶୁଳ୍କ ଲାଗୁ କରିବା ନେଇ ମେ ମାସରେ ଟ୍ରମ୍ପ ସଙ୍କେତ ଦେଇଥିଲେ।  ଏନେଇ ସେ ବାଣିଜ୍ୟ ବିଭାଗ ଏବଂ ଆମେରିକା ବାଣିଜ୍ୟ ପ୍ରତିନିଧି (USTR)ଙ୍କୁ ବିଦେଶୀ ଚଳଚ୍ଚିତ୍ର ଉପରେ ଅଧିକ ଶୁଳ୍କ ଲାଗୁ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ଅଧିକାର ଦେଇଥିଲେ। ଏବଂ ଏହି କାରଣ ଯୋଗୁ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଅତି ଦ୍ରୁତ ଗତିରେ ମୃତ୍ୟୁବରଣ କରୁଛି। ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକର ଏକ ସମନ୍ୱିତ ପ୍ରୟାସ। ତେଣୁ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଟ୍ରମ୍ପ କହିଥିଲେ।। ଏହା ଅର୍ଥନୈତିକ ସମସ୍ୟା ସୃଷ୍ଟି କରୁଛି ବୋଲି ଟ୍ରମ୍ପ ସେତେବେଳେ କହିଥିଲେ।

ସିନେମା ଉପରେ ଟ୍ୟାକ୍ସ ଲଗାଇବାର ଆଉ ଏକ ପ୍ରମୁଖ କାରଣ ହେଲା ନିଜ ଦେଶରେ ସିନେମା ନିଜ ଦେଶର ଶୁଟ୍ କରାଇବା। ଶସ୍ତା ବଜାର ଏବଂ ଶ୍ରମିକ ପାଇଁ ବାହାରେ ଶୁଟିଂ କରାଇ ଦେଶର ଟଙ୍କା ଲୁଟାଇବାକୁ ସେ ବିରୋଧ କରିଛନ୍ତି।

ତେବେ ଟ୍ରମ୍ପଙ୍କର ଏହି ନିଷ୍ପତ୍ତିରେ ଶିଳ୍ପ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ନୀତି ହଲିଉଡକୁ ସାହାଯ୍ୟ କରିବା ପରିବର୍ତ୍ତେ କ୍ଷତି କରିପାରେ। ଡିଜନି, ପାରାମାଉଣ୍ଟ ଏବଂ ୱାର୍ନର ବ୍ରଦର୍ସ ସମେତ ଅନେକ ଆମେରିକୀୟ ଷ୍ଟୁଡିଓ ଖର୍ଚ୍ଚ ହ୍ରାସ କରିବା ପାଇଁ ପ୍ରାୟତଃ ବିଦେଶରେ ସୁଟିଂ କରନ୍ତି। ଆଉ ଯଦି ଟାରିଫ ଚାପରେ ଏଗୁଡ଼ିକ ଆମେରିକାରେ ଶୁଟ ହୁଏ ତେବେ ଲେବର କଷ୍ଟ ଯୋଗୁ ସିନେମା ଶୁଟିଂ କରିବା ମହଙ୍ଗା ହୋଇଯିବ। ବିଶ୍ଳେଷକମାନେ କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁ ମହାମାରୀରୁ ପୂର୍ବରୁ ସାମାନ୍ୟ ଉପରକୁ ଉଠିଥିବା ସିନେମା କମ୍ପାନୀଗୁଡ଼ିକ ଆହୁରି ସଙ୍କୁଚିତ ହେବାର ଆଶଙ୍କା ରହିଛି।

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚଳଚ୍ଚିତ୍ର ବଜାର ଚୀନ୍ ସହିତ ବାଣିଜ୍ୟ ବିବାଦ ମଧ୍ୟରେ ମଧ୍ୟ ଏହି ନିଷ୍ପତ୍ତି ନେଇଛି ଆମେରିକା। ତେଣୁ ଏହା ଅନ୍ୟ ଦେଶକୁ ଯେତିକି ପ୍ରଭାବିତ ନ କରିବ, ଆମେରିକା ସିନେମା ଶିଳ୍ପ ଏଥିରେ ଅଧିକ କ୍ଷତିଗ୍ରସ୍ତ ହେବ। ସୋମବାର ଟ୍ରମ୍ପଙ୍କ ଏହି ଘୋଷଣା ପରେ, ମନୋରଞ୍ଜନ ଷ୍ଟକ୍ ପ୍ରିମାର୍କେଟ୍ ଟ୍ରେଡିଂରେ ହ୍ରାସ ପାଇଛି। ନେଟଫ୍ଲିକ୍ସ ୧.୪% ଏବଂ ୱାର୍ନର ବ୍ରଦର୍ସ ଡିସ୍କଭରୀ ୦.୬% ହ୍ରାସ ପାଇଛି ବୋଲି ରଏଟର୍ସ ରିପୋର୍ଟ କରିଛି।