LIVE TV

ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇ ନେଇଥିବା ଟ୍ରକ୍ ଡ୍ରାଇଭର ଧରାପଡିଲା, ଟ୍ରକ୍ ଜବତ : ଚାଲିଛି ମହିଳାଙ୍କ ଚିକିତ୍ସା

NEWS7
Bhadrak

ଭଦ୍ରକ ୪।୧୦: ଭଦ୍ରକରୁ ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇ ନେଇଥିବା ଟ୍ରକ୍ ଡ୍ରାଇଭର ଧରାପଡିଲା ।   ଡ୍ରାଇଭରକୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ କାବୁ କଲା ଭଦ୍ରକ ପୋଲିସ । ଭଦ୍ରକ ଟାଉନ୍ ଥାନା ଚରମ୍ପା ନିକଟରୁ ବୁଧବାର ବିଳମ୍ବିତ ରାତିରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା । ସିସିଟିଭି ଫୁଟେଜ୍ ଭାଇରାଲ୍ ହେବା ପରେ ପୋଲିସ ଆକ୍ସନକୁ ଆସିଥିଲା । ଭଦ୍ରକ ଏସ୍‌ପିଙ୍କ ସହ ଟାଉନ୍ ଥାନା ଅଧିକାରୀ ଓ ସ୍ଵତନ୍ତ୍ର ଟିମ୍ ଖୋଳତାଡ଼ ଆରମ୍ଭ କରିବା ସହ ବିଭିନ୍ନ ଟ୍ରକ୍ ମାଲିକ ସଙ୍ଘ ଓ ଡ୍ରାଇଭର ସଙ୍ଘର ସହାୟତା ଲୋଡିଥିଲା । ପରେ ଡ୍ରାଇଭରକୁ କେନ୍ଦୁଝର ପୋଲିସ ସହାୟତାରେ ଝୁମ୍ପୁରାରୁ ଭଦ୍ରକ ପୋଲିସ କାବୁ କରିଥିଲା । ଏହାସହ ଟ୍ରକ୍‌କୁ ମଧ୍ୟ ଜବତ କରିଛି ଭଦ୍ରକ ପୋଲିସ । ଅଭିଯୁକ୍ତ ଡ୍ରାଇଭରକୁ ଭଦ୍ରକ ପୋଲିସ ଝୁମ୍ପୁରାରୁ ଉଠାଇ ଆଣିଛି । ଦିବ୍ୟାଙ୍ଗ ମହିଳାଙ୍କୁ ଭଦ୍ରକ ରାନ୍ଦିଆ ଅଞ୍ଚଳର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଚିକିତ୍ସା କରାଯାଉଛି ବୋଲି ସୂଚନା ମିଳିଛି । ତେବେ ଭଦ୍ରକ ପୋଲିସ ଅଭିଯୁକ୍ତକୁ ଅଜଣା ସ୍ଥାନରେ ରଖି ଜେରା କରୁଥିବା ବେଳେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଛି କି ନାହିଁ ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଚରମ୍ପା ଫାଣ୍ଡି ଛକ ନିକଟରେ ଜଣେ ଦିବ୍ୟାଙ୍ଗ ମହିଳା ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ । ଏହି ସମୟରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଏକ ଟ୍ରକ୍‌ର ଡ୍ରାଇଭର ସେହି ସମୟରେ ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ପରେ ତାଙ୍କ ନିକଟକୁ ଆସି ସେହି ମହିଳାଙ୍କୁ ଜୋରଜବରଦସ୍ତ ଟେକିନେଇଥିଲେ । ଗାଡ଼ି ଭିତରେ ଭର୍ତ୍ତି କରି ତାଙ୍କୁ କେଉଁ ଆଡ଼କୁ ନେଇ ଯାଇଛନ୍ତି । ଏହି ଘଟଣାଟି ସିସିଟିଭିରେ କଏଦ ହୋଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହ ମହିଳାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ଆରମ୍ଭ କରିଛି ।​​​​​​​