LIVE TV

ମହିଳାଙ୍କୁ ଉଠାଇନେଇ ଟ୍ରକ୍‌ କ୍ୟାବିନ୍‌ରେ ଦୁଷ୍କର୍ମ, ରାସ୍ତା ମଝିରେ ଛାଡି ପଳାଇଥିଲା ଡ୍ରାଇଭର ; ଧରାପଡିବା ପରେ ଓଗାଳିଲା ସତ

NEWS7
Bhadrak

ଭଦ୍ରକ ୪।୧୦: ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଟ୍ରକ୍ କ୍ୟାବିନ୍‌ରେ ଦୁଷ୍କର୍ମ । ବର୍ଷା ଓ ବିଜୁଳି ଦାଉରୁ ରକ୍ଷା ପାଇଁ ରାଜପଥ କଡ଼ରେ ଆଶ୍ରୟ ନେଉଥିବା ବେଳେ ଟ୍ରକ୍ ଡ୍ରାଇଭର ବଳପୂର୍ବକ ଉଠାଇ ନେଇ ଟ୍ରକ୍ ଭିତରେ ଦୁଷ୍କର୍ମ କରିଛି । ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଘଟଣା ସମ୍ପର୍କରେ ଜଣାଇଛି ପୋଲିସ ।

ଏଭଳି ହୃଦୟ ବିଦାରକ ଓ ବର୍ବର ଘଟଣା ଘଟିଥିଲା ଗତ ୧ ତାରିଖ ବିଳମ୍ବିତ ରାତିରେ । ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ଅଧୀନ ଚରମ୍ପା ରିଜର୍ଭ ପୋଲିସ ନିକଟରେ ପ୍ରବଳ ବର୍ଷା ଓ ବିଜୁଳି ଗର୍ଜୁଥିବା ବେଳେ ଜଣେ ଦିବ୍ୟାଙ୍ଗ ମହିଳା ସୁରକ୍ଷିତ ସ୍ଥାନ ଭାବି ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ । ହଠାତ ଜାତୀୟ ରାଜପଥ ୧୬ରେ ଅଟକିଥିଲା ଏକ ଟ୍ରକ୍ । ଟ୍ରକ୍‌ର ଡ୍ରାଇଭର ଆସି ଉକ୍ତ ମହିଳାଙ୍କୁ ଟେକି ନେବା ବେଳେ ମହିଳା ବର୍ତ୍ତିବାକୁ ଯାଇ ଚିତ୍କାର କରିଥିଲେ ଓ ଛାଟି ପିଟି ହୋଇଥିଲେ । କିନ୍ତୁ ଡ୍ରାଇଭର ଜଣକ ଅତି ଅମାନୁଷିକ ଭାବେ ମହିଳାଙ୍କୁ ଟେକି ଟେକି ନେଇଯାଇଥିଲେ । ଆଉ ଟ୍ରକ୍ ଭିତରେ ପକାଇ ଟ୍ରକ୍ ନେଇ ସେଠାରୁ ପଳାଇ ଯାଇଥିଲେ । ଆଉ ସେହି ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଟ୍ରକ୍ ଭିତରେ ଡ୍ରାଇଭର କ୍ୟାବିନ୍‌ରେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଭଦ୍ରକ ଆନନ୍ଦପୁର ରାସ୍ତା ମଝିରେ ଛାଡି ପଳାଇଥିଲା ଅଭିଯୁକ୍ତ ।

ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ପୋଲିସର ୩ଟି ସ୍ଵତନ୍ତ୍ର ଟିମ୍ ବିଭିନ୍ନ ଅଞ୍ଚଳରେ ଛାନଭିନ କରିବା ପରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରୁ ଟ୍ରକ ଡ୍ରାଇଭର ଏମ୍ ଡି ସଦ୍ଦାମ ହୁସେନକୁ ଗିରଫ କରିବା ସହ ଟ୍ରକ୍ କୁ ଜବତ କରିଛି । ଦିବ୍ୟାଙ୍ଗ ମହିଳାଙ୍କୁ ପୋଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଅଞ୍ଚଳରୁ ଉଦ୍ଧାର କରିବା ପରେ ତାଙ୍କର ଚିକିତ୍ସା କରିଛି । ମହିଳା ଜଣଙ୍କ ଯେଉଁ ଭାଷାରେ କଥା ହେଉଥିଲେ ସେହି ଭାଷା ଜାଣିଥିବା ମହିଳାଙ୍କୁ ଡାକି ମାନସିକ ବିକୃତ ମହିଳାଙ୍କ ଠାରୁ ସତ ଜାଣିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।

ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ସ୍ବୀକାର କରିଥିବା ପୋଲିସ ପ୍ରେସ୍‌ନୋଟ୍‌ରେ ସ୍ପଷ୍ଟ କରିଛି । ଏହି ଅପହରଣ ଓ ଦୁଷ୍କର୍ମ ଘଟଣାରେ ବ୍ୟବହାର ହୋଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ଏମ୍ ଡି ସଦ୍ଦାମ୍ ହୁସେନକୁ ଗିରଫ କରିଛି ।

ତେବେ ଟ୍ରକ୍‌ର ମାଲିକ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି ଯେ, ସଦ୍ଦାମ୍ ହୁସେନର ଘର ବିହାର ଅଞ୍ଚଳରେ । ସେ ଝୁମ୍ପୁରା ଅଞ୍ଚଳରେ ପ୍ରାୟ ୩୦ ବର୍ଷ ହେବ ରହୁଥିଲା । ୩ ମାସ ପୂର୍ବରୁ ସେ ତାଙ୍କ ଟ୍ରକ୍ ଚଲଉଥିଲା । ତେବେ ଅପହରଣ ଓ ଦୁଷ୍କର୍ମ ପୂର୍ବରୁ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଲିକଙ୍କୁ କଲ୍ କରି ଟୋଲ୍ ପାଇଁ ଟଙ୍କା ବିଷୟରେ କଥା ହୋଇଥିଲା ଓ ପରେ ଟ୍ରକ୍ ନେଇ ଝୁମ୍ପୁରା ଅଞ୍ଚଳରେ ରଖି ଦେଇଥିଲା । ତେବେ ସେ କହିଛନ୍ତି ଯେ ସେ କୌଣସି ବିଷୟରେ ଅବଗତ ନଥିଲେ ଓ ଅଭିଯୁକ୍ତକୁ ଯଥା ସମ୍ଭବ ଦଣ୍ଡ ଦିଆଯାଉ ।