LIVE TV

ମୁଖ୍ୟ ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି : କେତେବେଳେ ବାଇକ୍ ଓ କାର୍ ଭାସୁଛି ତ ଆଉ କେତେବେଳେ ଘଟୁଛି ଦୁର୍ଘଟଣା

NEWS7
Balangir

ବଲାଙ୍ଗିର ୨୭।୯: ରାସ୍ତାରେ ନାଳର ଭ୍ରମ । ଆଣ୍ଠୁଏ ପାଣି ଭିତରେ ଉବୁଟୁବୁ ଯାତ୍ରୀ । ତାହା ପୁଣି କୌଣସି ଗାଁ ଗଳିକନ୍ଦି ରାସ୍ତା ନୁହେଁ ବରଂ ବଲାଙ୍ଗିର-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା । ଏଭଳି ଚିତ୍ର ବେଲପଡା ଠାରେ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ବେଲପଡା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଆଣ୍ଠୁଏରୁ ଅଧିକ ପାଣି ଜମିଥିଲା । ଯାହା ଫଳରେ ଲୋକ ଯିବା ଆସିବା କରିବାରେ ସମସ୍ୟା ଭୋଗିଥିଲେ । ଏମିତିକି ଦୁଇ ଜଣ ବାଇକ୍ ଆରୋହୀ ରାସ୍ତା ପାରି ହେବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଅଭିଯୋଗ ଆସିଛି । ଏନେଇ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ଝାଡିଛନ୍ତି ସ୍ଥାନୀୟଲୋକ ।

ବଲାଙ୍ଗିରରୁ ବେଲପଡା, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଦେଇ ଛତିଶଗଡ଼ ଯିବାକୁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି ଲୋକ । ହେଲେ ଏହି ରାସ୍ତାର ଏଭଳି ପରିସ୍ଥିତି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ଯାହାକୁ ନେଇ ଲୋକେ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ବେଲପଡା ବ୍ଲକ ଉପାଧ୍ୟକ୍ଷ ମଧ୍ୟ ରାସ୍ତାକୁ ନେଇ ଅଭିଯୋଗ କରିବା ସହ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି ।