LIVE TV

ଏଥର ବିଜାୟଦଶମୀରୁ ଆସନ୍ତା ବର୍ଷ ଦଶହରା ଯାଏ RSS ପାଳନ କରିବ ଶତାବ୍ଦୀ ସମାରୋହ

NEWS7
RSS

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅକ୍ଟୋବର ୨ରେ ନାଗପୁରରେ ବିଜୟାଦଶମୀ ଉତ୍ସବରେ ନିଜର ଶତାବ୍ଦୀ ସମାରୋହ ଶୁଭାରମ୍ଭ କରିବ । ଆରଏସଏସ ପକ୍ଷରୁ ସମୋବାର ଏହି ସୂଚନା ଦିଆଯାଇଛି । ଏହି ସମାରୋହ ୧୯୨୫ରେ ଡ.କେ.ବି.ହେଡଗେୱାରଙ୍କ ଦ୍ୱାରା ସଂଗଠନ ସ୍ଥାପନାର ୧୦୦ ବର୍ଷ ପୂର୍ତ୍ତିର ପ୍ରତୀକ ହେବ । ଆରଏସ୍‌ଏସ୍‌ର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ୱେକର, ବିଦର୍ଭ ପ୍ରାନ୍ତ ସଂଘଚାଳକ ଦୀପକ ତାମଶେଟ୍ଟିୱାର ଏବଂ ନାଗପୁର ମହାନଗର ସଂଘଚାଳକ ରାଜେଶ ଲୋୟା ନାଗପୁରର ରେଶମବାଗସ୍ଥିତ ହେଡଗେୱାର ସ୍ମୃତି ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଯୋଜନା ଉପରେ ବିସୃତ ସୂଚନା ଦେଇଛନ୍ତି । ଏହି ବିଜୟାଦଶମୀରୁ ଆଗାମୀ (୨୦୨୫-୨୦୨୬) ପର୍ଯ୍ୟନ୍ତ ସଂଘ ଏକ ଶତବାର୍ଷିକୀ ବର୍ଷ ପାଳନ କରିବ

ଆରଏସ୍‌ଏସ୍ ଶତବାର୍ଷିକୀ ପାଳନର ଅଂଶ ରୂପେ ସେପ୍ଟେମ୍ବର ୨୭ ଶନିବାର ଏକକାଳୀନ ତିନୋଟି ଭବ୍ୟ ପଥ ସଂଚାଳନ ଆୟୋଜନ କରିବ । ଏହି ପଥ ସଂଚାଳନ ସଂଧ୍ୟା ୭ଟାରେ ନାଗପୁରର ତିନି ସ୍ଥାନ (କସ୍ତୁରଚାନ୍ଦ ପାର୍କ, ଯଶୱନ୍ତ ଷ୍ଟାଡିୟମ ଏବଂ ଅମରାବତୀ ରୋଡରେ ଥିବା ଇଣ୍ଡିଆନ ହକି ଗ୍ରାଉଣ୍ଡ)ରୁ ଆରମ୍ଭ ହେବ ।

ବିଜୟାଦଶମୀ ଉତ୍ସବ ସବୁଥର ପରି ସକାଳ ୭:୪୦ରେ ରେଶମବାଗ ପଡ଼ିଆରେ ଅନୁଷ୍ଠିତ ହେବ । ତେବେ, ଚଳିକ ବର୍ଷ ଅଧିକ ଭିଡ଼ ଆଶା କରାଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ହେବେ ଏବଂ ମୋହନ ଭାଗବତ ମାର୍ଗଦର୍ଶକ ଭାଷଣ ଦେବେ । ଚଳିତ ବର୍ଷ ଉତ୍ସବରେ ବହୁ ସଂଖ୍ୟକ ସ୍ୱଂୟସେବକ ଯୋଗଦେବେ ବୋଲି ଆଶା କରାଯାଉଛି । ଗତ ବର୍ଷ ୭,୦୦୦ ସ୍ୱୟଂସେବକ ଗଣବେଶରେ ଯୋଗ ଦେଇଥିଲେ । ଆରଏସ୍‌ଏସ୍ ଅନୁଯାୟୀ, ଚଳିତ ବର୍ଷ ଏହି ସଂଖ୍ୟା ତିନିଗୁଣ ଅଧିକ ରହିପାରେ । ଭାରତ ଏବଂ ବିଦେଶରୁ ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ ।

ଆରଏସ୍‌ଏସ୍ ଏହାର ଶତବାର୍ଷିକୀ ବର୍ଷରେ ପ୍ରବେଶ କରୁଛି ଏବଂ ପାଞ୍ଚ-ସୂତ୍ରୀ ପରିବର୍ତ୍ତନ ବିଷୟବସ୍ତୁ ଉପରେ କେନ୍ଦ୍ରିତ କାର୍ଯ୍ୟକ୍ରମର ବର୍ଷବ୍ୟାପୀ ଆୟୋଜନ କରାଯିବ । ଏଥିରେ ପରିବେଶ ପଦକ୍ଷେପ, ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା, ଆତ୍ମନିର୍ଭରଶୀଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, ପରିବାର ସଚେତନତାକୁ ସୁଦୃଢ଼ କରିବା ଏବଂ ନାଗରିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ସାମିଲ ଅଛି । ଏହି ପ୍ରମୁଖ କ୍ଷେତ୍ରଗୁଡ଼ିକ ବ୍ୟତୀତ, ସାରା ବର୍ଷ ସାରା ଦେଶରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ଏବଂ ଆଲୋଚନା ଚକ୍ର ଆୟୋଜନ କରାଯିବ ।

ଆରଏସ୍‌ଏସ୍ କହିଛି, ଶତବାର୍ଷିକୀ ବର୍ଷ କେବଳ ଏହାର ସ୍ୱୟଂସେବକମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ ନୁହେଁ, ବରଂ ସମାଜ ପାଇଁ ଏକ ବ୍ୟାପକ ଉତ୍ସବ । ସୁନୀଲ ଆମ୍ବେକର କହିଛନ୍ତି, "ଶତବାର୍ଷିକୀ ବର୍ଷ କେବଳ ସଂଘ ବିଷୟରେ ନୁହେଁ । ଏହା ସମାଜର ସାମୂହିକ ଭାବନା, ଆମ ରାଷ୍ଟ୍ରର ଗର୍ବ ଓ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନର ସଂକଳ୍ପକୁ ପ୍ରତିଫଳିତ କରେ । ଉପନିବେଶବାଦ ମାନସିକତାରୁ ମୁକ୍ତି ହେଉଛି ଚୂଡ଼ାନ୍ତ ଲକ୍ଷ୍ୟ, ଏବଂ ଶେଷରେ ସମସ୍ତଙ୍କୁ ଏଥିରୁ ମୁକ୍ତ ହେବାକୁ ପଡିବ।"