ପୁରୀ: ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ସେପ୍ଟେମ୍ବର ୭ ତାରିଖ ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଛି। ରାତ୍ର ୨ ଟାରୁ ଫିଟିବ ଦ୍ବାର। ୨ଟା ୪୦ ରେ ମଙ୍ଗଳ ଆଳତି ବଢି ଅନ୍ୟାନ ନୀତି କାନ୍ତି ହେବ। ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବ। ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି।

ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଧାଡ଼ି ଦର୍ଶନ ପାଇଁ କିଭଳି ପ୍ରସ୍ତୁତି ହେବ ସେନେଇ ଆଲୋଚନା ହୋଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଧାଡ଼ି ଦର୍ଶନ ହେବ। ସମସ୍ତ ନିଯୋଗ ସହିତ ଏନେଇ ଆଲୋଚନା ହୋଇଛି। ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ। ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ନାଁରେ ଅନଲାଇନରେ ଫେକ୍ ଓ୍ବେବସାଇଟ ଖୋଲିଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପୋଲିସ ସହ ଆଲୋଚନା କରାଯାଇଛି। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।