LIVE TV

ବିଶ୍ଵକପରେ ପାକିସ୍ତାନକୁ ୮୮ ରନରେ ମାତ୍ ଦେଲା ଭାରତୀୟ ମହିଳା ଟିମ୍, ୧୨-୦ର ଅଜେୟ ରେକର୍ଡ ଜାରି

NEWS7
IND W vs PAK W

କଲୋମ୍ବୋ: ଏସିଆ କପ୍ ପରେ ଏବେ ଭାରତୀୟ ମହିଳା କ୍ରିକେଟ୍ ଦଲ ୨୦୨୫ ମହିଳା ବିଶ୍ୱକପରେ ପାକିସ୍ତାନକୁ ୮୮ ରନରେ ପରାସ୍ତ କରିଥିଲା। ଏହି ବିଜୟ ସହିତ, ଟିମ୍ ଇଣ୍ଡିଆ ଏକଦିବସୀୟ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ନିଜର ଅପରାଜିତ ରେକର୍ଡ ବଜାୟ ରଖିଛି। ଭାରତ ଏବଂ ପାକିସ୍ତାନ  ଏ ପର୍ଯ୍ୟନ୍ତ ୧୨ ଥର ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି, ଏବଂ ପ୍ରତ୍ୟେକ ଥର ଭାରତୀୟ ଦଳ ବିଜୟୀ ହୋଇଛି। କଲମ୍ବୋରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଭାରତ  ପ୍ରଥମେ ବ୍ୟାଟିଂ କରି ୨୪୭ ରନ କରିଥିଲା। ଜବାବରେ ପାକିସ୍ତାନୀ ଦଳ ମାତ୍ର ୧୫୯ ରନରେ ଅଲଆଉଟ୍ ହୋଇଛି। ଚଳିତ ବିଶ୍ଵକପରେ ଭାରତର ଏହା କ୍ରମାଗତ ଦ୍ଵିତୀୟ ବିଜୟ ହୋଇଥିବା ବେଳେ ପାକିସ୍ତାନ ଲଗାତାର ଦ୍ଵିତୀୟ ପରାଜୟ ଭୋଗିଛି।

କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ବିଶ୍ୱକପ୍ ମ୍ୟାଚରେ  ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ମନ୍ଥର ପିଚରେ କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତ ସ୍କୋର କରିପାରି ନଥିଲେ। ଭାରତ ପକ୍ଷରୁ ହରଲିନ୍ ଦେଓଲ ସର୍ବାଧିକ ୪୬ ରନ କରିଥିବା ବେଳେ ପ୍ରତୀକା ରାୱଲ ୩୧ ଏବଂ ଜେମିମାହ ରଡ୍ରିଗ୍ସ ୩୨ ରନ୍ କରିଥିଲେ। ଶେଷ ଆଡ଼କୁ ଋଚା ଘୋଷ ୨୦ ବଲରୁ ୩୫ ରନର ଦ୍ରୁତ ଇନିଂସ ଖେଳିବାରୁ ଭାରତ ୨୪୭ ରନ୍ ସ୍କୋରରେ ପହଞ୍ଚାଇଥିଲେ। ପାକିସ୍ତାନ ପକ୍ଷରୁ  ଦିଆନା ବୈଗ ସର୍ବାଧିକ ୪ ଓ୍ଵିକେଟ୍ ନେଇଥିଲେ।

ପାକିସ୍ତାନ ଇନିଂସ

ଜବାବରେ, ପାକିସ୍ତାନର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୨୦ ରନ କରିବା ପୂର୍ବରୁ ଉଭୟ ଓପନରଙ୍କୁ ହରାଇଥିଲେ। ଏତିରେ ଓପନର ମୁନିବା ଅଲିଙ୍କ ୱିକେଟ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦୁଇଥର ଭିଡିଓ ରିପ୍ଲେ ଦେଖିବା ପରେ ତୃତୀୟ ଅମ୍ପାୟାର ତାଙ୍କୁ ରନ୍ ଆଉଟ୍ ଘୋଷଣା କରିଥିଲେ। ପ୍ରଥମ ୨୦ ଓଭରରେ ପାକିସ୍ତାନର ରନ୍ ହାର ୩ ରୁ କମ୍ ଥିଲା, ଯାହା ଦଳକୁ ଅଧିକ ଚାପରେ ରଖିଥିଲା।

କୌଣସି ପ୍ରକାରେ ସିଦ୍ରା ଅମିନ ଏବଂ ନାତାଲିଆ ପରଭେଜ ୬୯ ରନ୍ ଭାଗୀଦାରି କରି ପାକିସ୍ତାନକୁ ମୁସ୍କିଲ ସ୍ଥିତିରୁ ଉଦ୍ଧାର କରିଥିଲେ। ପରଭେଜ ୩୯ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଫାତିମା ସାନା ମାତ୍ର ୨ ରନ୍ କରି ବିଦାୟ ନେଇଥିଲେ। ପାକିସ୍ତାନ ମାତ୍ର ୧୬ ରନରେ  ଶେଷ ପାଞ୍ଚ ୱିକେଟ୍ ହରାଇଥିଲା। ସିଦ୍ରା ଅମିନଙ୍କ ୮୧ ରନର ଦମଦାର ଇନିଂସ ଖେଳିଥିଲେ ମଧ୍ୟ ପାକିସ୍ତାନକୁ ୮୮ ରନର ଭଡ଼ ପରାଜୟରୁ ରକ୍ଷା କରି ପାରି ନ ଥିଲେ।

ଅପରାଜିତ ୧୨-୦ ରେକର୍ଡ ଅକ୍ଷୁର୍ଣ୍ଣ

ମହିଳା ଦିନିକିଆ କ୍ରିକେଟ ଇତିହାସରେ ଭାରତୀୟ ଦଳ ଲଗାତାର ୧୨ମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଛି। ୨୦୦୫ ମସିହାରେ ଉଭୟ ଦଳ ପ୍ରଥମ ଥର ପାଇଁ ଏକ ଦିନିକିଆ ମ୍ୟାଚରେ ପରସ୍ପରକୁ ମୁହାଁମୁହିଁ ହୋଇଥିଲେସେବେଠାରୁ ଟିମ୍ ଇଣ୍ଡିଆ ପ୍ରତ୍ୟେକ ଦିନିକିଆ ମ୍ୟାଚରେ ପାକିସ୍ତାନ ଉପରେ ପ୍ରାଧାନ୍ୟ ବିସ୍ତାର କରିଆସିଛି।