ନୂଆଦିଲ୍ଲୀ: ସରକାର ସାଧାରଣ ଲୋକଙ୍କୁ ଆଶ୍ବସ୍ତି ପାଇଁ ଜିଏସଟିରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଥିବା ଜିଏସଟି ସ୍ଲାବକୁ ହଟାଇ ଦିଆଯାଇଛି। ଦେଶରେ ଏବେ କେବଳ ଜିଏସଟିର ଦୁଇଟି ୫% ଏବଂ ୧୮% ସ୍ଲାବ୍‌ ରହିବ। ଅର୍ଥାତ୍ ଜିଏସଟିରେ ହ୍ରାସ ଯୋଗୁ ନ୍ଦୈନନ୍ଦିନ ସାମଗ୍ରୀର ମୂଲ୍ୟ କମିଯିବ। ଲୋକଙ୍କୁ କମ୍ ଦାମ୍‌ରେ ସାମଗ୍ରୀ ମିଳିବ। ଆଉ ସେମାନଙ୍କ ଖର୍ଚ୍ଚ ଟିକେ ଲାଘବ ହେବ। ହେଲେ ଏହାରି ମଧ୍ୟରେ ଆସିଛି ଏକ ସର୍ଭେ ରିପୋର୍ଟ। ଯେଉଁଥିରେ ଭାରତୀୟ ପରିବାରର ହାରାହାରି ମାସିକ ଖର୍ଚ୍ଚରେ ଦ୍ରୁତ ବୃଦ୍ଧି ହେଉଥିବା ନେଇ କୁହାଯାଇଛି।

‘ଓ୍ବାର୍ଲ୍ଡପ୍ୟାନେଲ ବାଏ ନ୍ୟୁମେରେଟର’ର ଏକ ରିପୋର୍ଟ ଅନୁସାରେ ଭାରତୀୟ ପରିବାରର ହାରାହାରି ତ୍ରୈମାସିକ ଖର୍ଚ୍ଚ ଗତ ତିନି ବର୍ଷରେ ଲଗାତାର ୩୩ ପ୍ରତିଶତରୁ ଅଧିକ ବଢ଼ି ୨୦୨୫ରେ ୫୬ ହଜାର ଟଙ୍କା ହୋଇଛି। ବିଶେଷ କରି ସହରୀ କ୍ଷେତ୍ରରେ ପ୍ରତି ବର୍ଷ ଘରୋଇ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଅବଶ୍ୟ ରିପୋର୍ଟରେ ଗ୍ରାମୀଣ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ ବଢ଼ିଥିବା କୁହାଯାଇଛି ।

ରିପୋର୍ଟ ଅନୁସାରେ ‘ଘରୋଇ ଖର୍ଚ୍ଚ ଲଗାତାର ବଢ଼ୁଛି। ହାରାହାରି ତ୍ରୈମାସିକ ଖର୍ଚ୍ଚ ୨୦୨୨ରେ ପ୍ରାୟ ୪୨ ହଜାର ଟଙ୍କା ଥିଲା। ଯାହା ୨୦୨୫ରେ ବଢ଼ି ୫୬ ହଜାର ଟଙ୍କା ହୋଇଛି। ମାନେ ୨୦୨୫ରେ ଭାରତୀୟ ପରିବାରଙ୍କ ତ୍ରୈମାସିକ ଖର୍ଚ୍ଚ ୫୬ ହଜାର ଟଙ୍କା ରହିଛି। ସହରୀ ପରିବାର ସବୁଠୁ ଅଧିକ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଗ୍ରାମୀଣ ପରିବାରରେ ମଧ୍ୟ ଖର୍ଚ୍ଚରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳୁଛି। ଯାହା ଦେଶରେ​‌ ବଜେଟ ଉପରେ ବଢ଼ୁଥିବା ଚାପକୁ ଦର୍ଶାଉଛି।’’

ଲଗାତାର ବଢ଼ୁଛି ଘରୋଇ ଖର୍ଚ୍ଚ

ତଥ୍ୟ ଉପରେ ନଜର ପକାଇଲେ ସହରୀ ମାର୍କେଟରେ ହାରାହାରି ତ୍ରୈମାସିକ ଖର୍ଚ୍ଚ ୨୦୨୨ ଜୁନ୍‌ରେ ୫୨,୭୧୧ ଟଙ୍କା ଥିଲା। ଯାହା ୨୦୨୪ ମାର୍ଚ୍ଚରେ ବଢ଼ି ୬୪,୫୮୩ ଟଙ୍କା ଏବଂ ୨୦୨୫ ମାର୍ଚ୍ଚରେ ୭୩,୫୭୯ ଟଙ୍କା ହୋଇଛି। ସେହିଭଳି ଗ୍ରାମାଞ୍ଚଳରେ ପରିବାରର ହାରାହାରି ତ୍ରୈମାସିକ ଖର୍ଚ୍ଚ ୨୦୨୨ ଜୁନ୍‌ରେ ୩୬,୧୦୪ ଟଙ୍କା ଥିଲା। ହେଲେ ଏହା ବଢ଼ି ୨୦୨୫ ମାର୍ଚ୍ଚ ବେଳକୁ ୪୬, ୬୨୩ ଟଙ୍କା ହୋଇଛି। ଏହି ରିପୋର୍ଟ ୬ ହଜାର ପରିବାରକୁ ନେଇ ହୋଇଥିବା ସର୍ଭେ ଉପରେ ଆଧାରିତ।