News7 Logo

ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ, ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀ କରିପାରିବେ ଅଭିଯୋଗ

NEWS7
Subhadra Grievance Portal opened

ଭୁବନେଶ୍ବର: ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ । ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀ ଏହି ପୋର୍ଟାଲରେ ଅଭିଯୋଗ କରିପାରିବେ । ଆଉ ଥରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେବାକୁ କରିପାରିବେ ଆବେଦନ । ବର୍ତ୍ତମାନ ସୁଭଦ୍ରାରେ ୧କୋଟି ୯ଲକ୍ଷ ହିତାଧିକାରୀ ଥିବା ବେଳେ ବିଭିନ୍ନ କାରଣରୁ ୨ଲକ୍ଷ ୮୫ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି । ଏହି ପୋର୍ଟାଲ ଦ୍ବାରା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହାରିବ । ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ । ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ। ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ। ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ। ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ। ଜିଲ୍ଲା କମିଟି ନେବ ନିଷ୍ପତ୍ତି  ଏହାର ଷ୍ଟାଟସ୍ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ।  ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ଏ ସବୁ କଥାର ଉତ୍ତର ପୋର୍ଟାଲରେ ମିଳିବ।

ଆସନ୍ତା ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନାକୁ ପୂରିବ ବର୍ଷେ  | ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟ୍ରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ ହେବ ।  ଅକ୍ଟୋବର ୧୫ ଯାଏଁ ଚାଲିବ କାର୍ଯ୍ୟକ୍ରମ ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ହେବ ଏହି କାର୍ଯ୍ୟକ୍ରମ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସୁଭଦ୍ରା ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହା ସରକାରଙ୍କ ଏକ ଫ୍ଲାଗସିପ୍ ଯୋଜନା । ମାତ୍ର କିଛି ମାସ ଭିତରେ ଏହି ଯୋଜନାରେ ୧କୋଟିରୁ ଅଧିକ ମହିଳା ଯୋଡ଼ି ହେବା ସରକାରଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ଏମିତିରେ ଏହି ସୁଭଦ୍ରା ଯୋଜନାକୁ ଯେତେବେଳେ ବର୍ଷେ ପୂରିବାକୁ ଯାଉଛି ସେତେବେଳେ ଏହାକୁ ଗ୍ରାଣ୍ଡ ଓ୍ବେରେ ପାଳନ କରିବାକୁ ଯୋଜନା କରିଛନ୍ତି ସରକାର ।

ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ହଜାର ଟଙ୍କା ଲେଖାଏଁ କରି ୫ବର୍ଷରେ ୫୦ହଜାର ଟଙ୍କା ଦେବେ ସରକାର । ଯେଉଁ ଟଙ୍କାରେ ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରୁଛନ୍ତି । ତେବେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅନେକ ଥିଲାବାଲା ବି ଏହି ଯୋଜନାରେ ସାମିଲ ହୋଇଛନ୍ତି । ସର୍ଭେ ମାଧ୍ୟମରେ ସେମାନଙ୍କ ପ୍ରକୃତ ଆର୍ଥିକ ଅବସ୍ଥା ଯାଞ୍ଚ କରି କେବଳ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଭଦ୍ରା ଯୋଜନାର ଫାଇଦା ଦେବାକୁ କସରତ ଚଳାଇଛନ୍ତି ସରକାର ।