LIVE TV

ମୋଟର ଯାନ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ, ୩ ଦିନରେ ହେଲାଣି ୫୪ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ

NEWS7
Strict action is being taken against motor vehicle rule violators

କଟକ/ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ଵାରା ମୋଟରଯାନର ୭ଟି ନିୟମ ଉଲ୍ଲଙ୍ଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଇଛି। ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର, ବିନା ଫିଟନେସ୍, ବିନା ପରମିଟ୍ ଓ ବିନା ପ୍ରଦୂଷଣ ପ୍ରମାଣପତ୍ର ଭଳି ନିୟମ ଉଲ୍ଲଙ୍ଘନ ସହ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ହୋଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ଇ-ଚାଲାଣ ଜାରି ହୋଇଛି ଓ ଜରିମାନା ଆଦାୟ କରାଯାଇଛି ।

ତିନି ଦିନରେ ରାଜ୍ୟରେ ସମୁଦାୟ ୩,୪୯୪ ଟି ଚାଲାଣ ଜାରି ହୋଇଛି । ଜରିମାନା ବାବଦରେ ୫୪ ଲକ୍ଷ ୮୨ହଜାର ୪୬୨ ଟଙ୍କା ଆଦାୟ କରାଯାଇଛି । ଓଭରଲୋଡିଂ ପାଇଁ ୧୭୬ଟି ଗାଡ଼ି ବିରୋଧରେ ଚାଲାଣ ଜାରି ହୋଇଥିବା ବେଳେ ଫିଟନେସ୍ ଓ ପରମିଟ୍ ବାବଦରେ ୯୪୨ ଗାଡ଼ି ବିରୋଧରେ ଚାଲାଣ ଜାରି ହୋଇଛି ।  ସେହିପରି ପ୍ରଦୂଷଣ ପ୍ରମାଣପତ୍ର ନିୟମ ଉଲ୍ଲଙ୍ଘନ ପାଇଁ ୯୭୭, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ପାଇଁ ୨୧୪, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର ପାଇଁ ୧୩୦, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ ଉଲ୍ଲଙ୍ଘନ ଯୋଗୁଁ ୨୦୪ଟି ଇ-ଚାଲାଣ ଜାରି କରାଯାଇଛି ।

ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ସଚେତନତା ସହ ଏନଫୋର୍ସମେଣ୍ଟକୁ ପ୍ରାଧାନ୍ୟ ଦେଇଛି । ଏଥିପାଇଁ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ରାଜ୍ୟ ପରିବହନ ପ୍ରାଧିକରଣ ନେତୃତ୍ୱରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଆଗକୁ ଆହୁରି କଡ଼ାକଡ଼ି କରିବାକୁ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ଏହାସହ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରାଯିବ । ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ନିବେଦନ କରାଯାଇଛି ।