ଗୌହାଟୀ: ମହିଳା ବିଶ୍ଵକପ୍ ୨୦୨୫ରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ୧୨୫ ରନରେ ଇଂଲଣ୍ଡକୁ ହରାଇଛି। ଲଉରା ଓ୍ଵଲଭାଙ୍କ ୧୬୯ ରନର ଇନିଂସ ଓ  ମାରିଜାନେ କପଙ୍କ ଘାତକ ବୋଲିଂ ଦଳକୁ ଫାଇନାଲରେ ପହଞ୍ଚାଇଛି। ଆଉ ମହିଳା ବିଶ୍ଵକପ୍ ଇତିହାସରେ ପ୍ରଥମ ଥର ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟ୍ ହରାଇ ୩୧୯ ରନ କରିଥିଲା। ଜବାବରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୯୪ ରନରେ ଅଲଆଉଟ୍ ହୋଇଛି। ଆସନ୍ତାକାଲି ଦ୍ଵିତୀୟ  ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨ରେ ଖେଳାଯିବ।​​​​​​​

ଦକ୍ଷିଣ ଆଫ୍ରିକା ପାଇଁ ଏହି ବିଜୟ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଗତ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମାତ୍ର ୬୯ ରନରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ୧୦ ଓ୍ଵିକେଟ୍‌ରେ ମ୍ୟାଚ୍‌କୁ ଜିତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଦମଦାର ଥିଲା। ପ୍ରଥମ ଓ୍ଵିକେଟ୍ ପାଇଁ ହୋଇଥିଲା ୧୧୬ ରନ ଭାଗିଦାରୀ।ଏହା ପରେ ଦକ୍ଷିଣ ଆଫ୍ରିକାକୁ ଲଗାତାର ଦୁଇଟି ଝଟକା ଲାଗିଥିଲା। ଓପନର ତଜମିନ ବ୍ରିଟ୍ସ  ୪୫ ରନ କରିଥିଲେ। ଅନେକ ବୋସ ଖାତା ଖୋଲି ପାରି ନ ତିଲେ। ସୁନେ ଲୁସ ଏକ ରନ କରି ପାଭିଲିୟନ ଫେରିଥିଲେ। ମାତ୍ର ଅଧିନାୟକ ଲୌରା ଓ୍ଵଲଭାର୍ଟ କ୍ରିଜରେ ଗୋଟିଏ ପଟେ ଜମି ରହିଥିଲେ। ସେ ୧୪୩ ବଲରୁ ୨୦ ଚୌକା ଓ ୪ ଛକା ସହ ୧୬୯ ରନର ସ୍ମରଣୀୟ ଶତକୀୟ ଇନିଂସ ଖେଳିଛନ୍ତି। ମାରିଜାନେ କାପ ୩୩ ବଲରୁ ୪୨ ରନ କରିଥିଲେ। ଫଳରେ ଦକ୍ଷିଣ ଆପ୍ରିକା ଇଂଲଣ୍ଡକୁ ୩୨୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା।

ଜବାବରେ ଇଂଲଣ୍ଡର ଆରମ୍ଭ ନିରାଶଜନକ ଥିଲା। ପ୍ରଥମ ଓଭରରେ ହିଁ ଦଳକୁ ଡବଲ ଝଟକା ଲାଗିଥିଲା। ଏହା ପରେ ଇଂଲଣ୍ଡ ଇନିଂସ ଦିଗହରା ହୋଇ ଯାଇଥିଲା। ଅଧିନାୟକ ନେଟ ସ୍କିଓ୍ଵର  ବ୍ରଣ୍ଟ ଓ ଏଲିସ କ୍ୟାପସେ ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ଯଥାକ୍ରମେ ୬୪ ରନ ଓ ୫୦ ରନ କରିଥିଲେ। ହେଲେ ସେ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରି ପାରି ନ ଥିଲେ। ଡାନିଏଲେ ଓ୍ଵିଟ ହଜ ୩୪ ରନ କରିଥିଲେ। ଶେଷରେ ଇଂଲଣ୍ଡ ୧୯୪ ରନରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମାରିଜାନେ କାପ୍ ମାତ୍ର ୨୦ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ।