LIVE TV

ସୋନମ ଓ୍ଵାଙ୍ଗଚୁକଙ୍କ ପାକିସ୍ତାନ ସହ ସମ୍ବନ୍ଧ ! ବାଂଲାଦେଶ ବି ଯାଇଛନ୍ତି: ଡିଜିପି

NEWS7
Sonam Wangchuk

ନୂଆଦିଲ୍ଲୀ: ଅଶାନ୍ତ ଲଦାଖ। ସ୍ଥିତିକୁ ଦୃଷ୍ଟିରେ ରଖି ଗତ ଚାରି ଦିନ ଧରି ଜାରି ରହିଛି କର୍ଫ୍ୟୁ। ଅନ୍ୟପଟେ ଗିରଫ ପରେ ଜଳବାୟୁ ଓ ପରିବେଶ ସାମାଜିକ କର୍ମୀ ସୋନମ ଓ୍ଵାଙ୍ଗଚୁକଙ୍କୁ ରାଜସ୍ଥାନର ଯୋଧପୁର ଜେଲ୍ ପଠାଇ ଦିଆଯାଇଛି। ଏହି କ୍ରମରେ ଶନିବାର ଲଦାଖର ପୋଲିସ ମହାନିର୍ଦ୍ଦେଶକ ଏସଡି ସିଂ ଜାମଓ୍ଵାଲ ଶନିବାର ସୋନମ ଓ୍ଵାଙ୍ଗଚୁକଙ୍କୁ ନେଇ କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା। ସେ କହିଛନ୍ତି, ଓ୍ଵାଙ୍ଗଚୁକଙ୍କ  ବିରୋଧ ପ୍ରଦର୍ଶନର ଭିଡିଓ ସୀମା ପାର ପଠାଇଥିବା ଜଣେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ଗତ ମାସରେ ହୋଇଥିବା ଗିରଫଦାରୀ ସଂଦର୍ଭରେ ପୋଲିସ ଓ୍ଵାଙ୍ଗଚୁକଙ୍କ ସହ ସମ୍ବନ୍ଧର ଯାଞ୍ଚ କରୁଛି। ଡିଜିପି ବୁଧବାର ଲଦାଖରେ ଘଟିଥିବା ହିଂସା ପାଇଁ ଓ୍ଵାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି। ଏହି ହିଂସାରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।

ଜାମଓ୍ଵାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତଦନ୍ତରେ କଣ ମିଳିଛି ତାହା ଏବେ ସାର୍ବଜନୀନ କରାଯାଇ ପାରିବ ନାହିଁ। ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଯଦି ଆପଣ ତାଙ୍କ ୟୁଟ୍ୟୁବରେ ଉପଲବ୍ଧ ପ୍ରୋଫାଇଲ ଓ ଇତିହାସ ଦେଖିବେ ତେବେ ତାଙ୍କର ଭାଷଣ ଲୋକଙ୍କୁ ଉସୁକାଉଥିବା ପ୍ରତୀତମାନ ହେଉଛି। କାରଣ ସେ ନିଜ ଭାଷଣରେ ଆରବ କ୍ରାନ୍ତି, ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କାରେ ନିକଟରେ ଘଟିଥିବା ଅଶାନ୍ତିର ଉଲ୍ଲେଖ କରୁଛନ୍ତି।

ସେ କହିଛନ୍ତି ଓ୍ଵାଙ୍ଗଚୁକଙ୍କ ନିଜର ଜଣେ ଏଜେଣ୍ଟ ଥିଲା। ତାଙ୍କ ବିରୋଧରେ ବିଦେଶୀ ଫଣ୍ଡ ଓ ବିଦେଶୀ ଅଂଶଦାନ ବିନିୟମ ଅଧିନିୟମ(ଏଫସିଆରଏ)ର ଉଲ୍ଲଂଘନର ଯାଞ୍ଚ ଜାରି ରହିଛି। ଜଣେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ଆମ କବଜାରେ ଅଛି, ଯିଏ ଓ୍ଵାଙ୍ଗଚୁକଙ୍କ ନେତୃତ୍ଵରେ ହୋଇଥିବା ହିଂସାର ଭିଡିଓ ସୀମା ପାର ଉଠାଇଥିଲା। ପୋଲିସ ଡିଜିପି ଓ୍ଵାଙ୍ଗଚୁକଙ୍କ କିଛି ବିଦେଶ ଯାତ୍ରାକୁ ସନ୍ଦିଗ୍ଧ ଦର୍ଶାଇ କହିଛନ୍ତି, ସେ ପାକିସ୍ତାନରେ ଦ ଡନ(ପାକିସ୍ତାନୀ ସମାଚାର ପତ୍ର)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପୁଣି ବାଂଲାଦେଶ ବି ଯାଇଥିଲେ।

ଓ୍ଵାଙ୍ଗଚୁକ ଆନ୍ଦୋଳନର ମଞ୍ଚକୁ ନିଜର ନିୟନ୍ତ୍ରଣରେ ନେବା ଓ କେନ୍ଦ୍ର ସରକାର ଓ ଲଦାଖର ପ୍ରତିନିଧିଙ୍କ ମଧ୍ୟରେ ଜାରି ଆଲୋଚନାକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ର ସରକାର  ଲଦାଖର ନେତାମାନଙ୍କୁ ଅକ୍ଟୋବର ୬ରେ ଅଲୋଚନା ପାଇଁ ଆମନ୍ତ୍ରିତ କରିଛନ୍ତି। ଓ୍ଵାଙ୍ଗଚୁକ ଜାଣିଥିଲେ ଯେ, ଦୁଇ ପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର ୨୫ରେ ଏକ ଅନୌପଚାରିକ ବୈଠକ ହେବାକୁ ଯାଉଛି। ଏହା ସତ୍ତ୍ଵେ ବି ସେ ନିଜର ଅନଶନ ଜାରି ରଖିଲେ। ଅନୌପଚାରିକ ବୈଠକର ଠିକ୍ ଗୋଟିଏ ଦିନ ପୂର୍ବରୁ ଉତ୍ତେଜନାକାରୀ ଭିଡିଓ ଓ ବୟାନ ଜରିଆରେ ଶାନ୍ତିପୂର୍ଣ୍ଣ ମାହୋଲକୁ ବିଗାଡ଼ିବାକୁ ଉଦ୍ୟମ କରାଯାଉଛି। ଏହି କାରଣରୁ ବୁଧବାର ହିଂସା ଘଟିଛି ବୋଲି ଲଦାଖର ଡିଜିପି କହିଛନ୍ତି।