LIVE TV

ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ, ସକାଳୁ ସେ ଫେରିବା କଥା କିନ୍ତୁ ଆସିନାହାନ୍ତି

NEWS7
BJD

ଭୁବନେଶ୍ବର ୧୧।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆଙ୍କୁ ନେଇ ଚର୍ଚ୍ଚା ଜୋର । ବିଜେଡିରୁ ପ୍ରାର୍ଥୀ ହେବେ ନା ବିଜେପିକୁ ଯିବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି । ଏହି ସମୟରେ ଜୟ ଢୋଲକିଆଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି ଜୟ ଢୋଲକିଆ ଶୁକ୍ରବାର ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ । ଶନିବାର ସକାଳୁ ସେ ଫେରିବା କଥା । କିନ୍ତୁ ଜୟ ଢୋଲକିଆ ଆସିନାହାନ୍ତି ବୋଲି ଦେବୀ କହିଛନ୍ତି ।

ଜୟ ଢୋଲକିଆଙ୍କୁ ନେଇ ବଡ଼ ସସ୍‌ପେନ୍ସ । ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ, ବରଂ କ୍ଷମତାସୀନ ବିଜେପି ଦଳରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି । ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ । ଘାସିରାମ ମାଝୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଜୟ ହିଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଗତ ନିର୍ବାଚନରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ । ତାଙ୍କୁ ୬୧ ହଜାର ୮୨୨ ଭୋଟ୍ ମିଳିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ଥିଲେ , ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଥିବାବେଳେ କଂଗ୍ରେସରୁ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ । ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଗୋଟି ଚାଳନା କରିଛି । ତେଣୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେପି ନିଜ ପଟକୁ ଟାଣିବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।

ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପ୍ରସନ୍ନ ପାଢ଼ୀ । ଏକଦା ବିଜେଡି ନେତା ଥିଲେ ପ୍ରସନ୍ନ ପାଢ଼ୀ । ସବୁବେଳେ ବିଜେଡିରୁ ଟିକେଟ୍ ଆଶାୟୀ ରହିଥିଲେ । ହେଲେ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଟିକେଟ୍ ଦେଉଥିଲା । ତେଣୁ ୨୦୧୪ରେ ବିଜେପିରେ ମିଶିଥିଲେ ପ୍ରସନ୍ନ ପାଢ଼ୀ । ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ନେଇ ଏକପ୍ରକାର ସ୍ପଷ୍ଟ ହେବା ପରେ ପ୍ରସନ୍ନ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ପ୍ରସନ୍ନ ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି । କୁହାଯାଉଛି ନୂଆପଡ଼ା ରାଜନୈତିକ ସମୀକରଣରେ ବିଜେଡି ପ୍ରସନ୍ନଙ୍କ ଉପରେ ନଜର ରଖିଛି ।